ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୁମ୍ଭିରାନାଳ ନିକଟସ୍ଥ ହରିଡ଼ାଗୋଡ଼ାଠାରେ ମାଓ ପୋଷ୍ଟର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୁମ୍ଭିରାନାଳ ନିକଟସ୍ଥ ହରିଡ଼ାଗୋଡ଼ାଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଛେଣ୍ଡିପଦା ଥାନାଠାରୁ ମାତ୍ର ୨କି.ମି ଦୁରତ୍ୱରେ ହରିଡ଼ାଗୋଡ଼ାର ଏକ ଗଛରେ କଂଟା ସାହାଯ୍ୟରେ ଏହି ମାଓ ପୋଷ୍ଟର ଟଙ୍ଗା ଯାଇଥିବାର ଦେଖିବାକୁ ମିଳିଛି । ସମ୍ପ୍ରତି ଛେଣ୍ଡିପଦାରେ କୋଇଲାଖଣି ନିମନ୍ତେ ଜମି ଅଧିଗ୍ରହଣ ହେଉଥିବା ବେଳେ ଏହାକୁ ବିରୋଧ କରି ଏହି ପୋଷ୍ଟର ଲାଗିଥିବାର ଚର୍ଚ୍ଚା ହେଉଛି । ଏହି ପୋଷ୍ଟରରେ ଲାଲ ଅକ୍ଷରରେ ଲେଖାଯାଇଥିବା ଉକ୍ତିଗୁଡ଼ିକରେ ପ୍ରଥମେ ଲାଲ ସଲାମ ଲେଖାଯାଇ ନିଜ ମାଆ ମାଟିକୁ ବିକ୍ରୀ କରୁଥିବା ଲୋକଙ୍କୁ କ୍ଷମା ଦିଆଯିବ ନାହିଁ । ଯଦି ସରକାର,ପ୍ରଶାସନ କିମ୍ବା ପ୍ରଶାସନକୁ କେହି ସାହାଯ୍ୟ କରନ୍ତି ତେବେ ସେମାନଙ୍କୁ ପ୍ରଜାକୋର୍ଟରେ ମୃତୁ୍ୟଦଣ୍ଡ ଦିଆଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ଅପରପକ୍ଷରେ ଛେଣ୍ଡିପଦା ପୋଲିସ ଏ ସମ୍ପର୍କରେ ସୂଚନା ପାଇବାପରେ ପୋଷ୍ଟରକୁ ଜବତ କରିବାସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।