ଆଜି ସଚିବାଳୟରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ପରିଷଦର ଗଭର୍ଣ୍ଣିଂ କାଉନସିଲର ପ୍ରଥମ ବୈଠକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ପରିଷଦର ଗଭର୍ଣ୍ଣିଂ କାଉନସିଲର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରି ବିଜ୍ଞାନରେ ଉଚ୍ଚଶିକ୍ଷା ଓ ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ନୀତି ଓ ଯୋଜନା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି ଉତ୍ପାଦକତା ବୃଦ୍ଧି, ସ୍ବାସ୍ଥ୍ୟସେବା ସମସ୍ତଙ୍କ ପାଇଁ ଶସ୍ତା ଓ ସୁବିଧାରେ ଉପଲବ୍‌ଧ ହେବା ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜୀବିକା ସୃଷ୍ଟି କ୍ଷେତ୍ରରେ ଅଧିକା ଗବେଷଣା ପାଇଁ ଆଗ୍ରହ ସୃଷ୍ଟି କରିବା ପାଇଁ ନୀତି ପ୍ରସ୍ତୁତ ହେବା ଉଚିତ । ବିଜ୍ଞାନ ଓ ପ୍ରଯୁକ୍ତିର ପ୍ରୟୋଗ ଦ୍ବାରା ଉତ୍ତମ ପ୍ରଶାସନର ସୁଫଳ ସମାଜର ଶେଷ ସ୍ତରରେ ରହୁଥିବା ଲୋକ ପାଖରେ ମଧ୍ୟ ପହଞ୍ଚିପାରିବ । ସେ ଯେଉଁ ତିନୋଟି ଟି ବିଷୟରେ ଗୁରୁତ୍ବାରୋପ କରିଆସୁଛନ୍ତି, ତନ୍ମଧ୍ୟରୁ ଟେକ୍ନୋଲୋଜି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକରେ ରାଜ୍ୟ ପରିଷଦ ନୂଆ ବାୟୋଟେକ୍‌ନୋଲୋଜି ନୀତି-୨୦୧୬କୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଏହାସହିତ ସ୍କୁଲ ଗୁଡିକରେ ବିଜ୍ଞାନ ଲାବୋରେଟୋରୀର ପ୍ରତିଷ୍ଠା  ପାଇଁ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଥିଲା । ଏଥିରେ କୃଷି କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରିଥିବା କୃଷକ ଏବଂ କୃଷି ଉଦ୍ୟୋଗୀ ମାନଙ୍କୁ ପୁରସ୍କୃତ କରିବା ପାଇଁ ପ୍ରସ୍ତାବକୁ ମଧ୍ୟ ଅନୁମୋଦିତ କରାଯାଇଥିଲା ।