ଆସନ୍ତା ୨ ବର୍ଷ ମଧ୍ୟରେ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟ ପୋଷ୍ଟ ଅଫିସରେ ପାସପୋର୍ଟ କାର୍ଯ୍ୟାଳୟ ଖୋଲାଯିବ-କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ.ସିଂହ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୩ବର୍ଷ ପୂର୍ତି ଅବସରରେ ‘ସବକା ସାଥ ସବକା ବିକାଶ’ କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ.ସିଂହ ଓଡ଼ିଶା ଗସ୍ତ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣ ଯୋଜନା ଉପଲବ୍ଧି ସମ୍ପର୍କରେ ସ୍ଥାନୀୟ ଜନତା ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଜେନେରାଲ ସିଂହ। ପ୍ରତି ବର୍ଷ ଏହି ଭଳି ଜନ ସମ୍ପର୍କ ଅଭିଯାନ ଜାରି ରହିବ। ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ, ବରଂ ଜନ ପ୍ରତିନିଧି ଭାବେ ଲୋକଙ୍କ ପାଖରେ ରିପୋର୍ଟ କାର୍ଡ଼ ପହଂଚାଇବା ସରକାରଙ୍କ ଗୁରୁ ଦାୟିତ୍ୱ। ଆମେ ୫ ବର୍ଷ ପରେ ଆପଣଙ୍କୁ ସବୁ ଯୋଜନାର ସଫଳ ରୂପାୟନର ଚିତ୍ର ଦେଖାଇଦେବୁ। ଏ ଦେଶରେ କୌଣସି ସରକାର ଲୋକଙ୍କ ପାଖରେ ପହଂଚି ଏଭଳି ପ୍ରୟାସ କରିନଥିଲେ। ସାଧାରଣ ଜନତାଙ୍କ ପାଇଁ କ’ଣ ବିକାଶ ମୂଳକ ଯୋଜନା କରାଯାଉଛି? ତାହା ସେମାନଙ୍କୁ ଜଣାଇଲେ ଦେଶର ବିକାଶ ଆଗକୁ ଯିବା ପାଇଁ ସେମାନଙ୍କ ମନରେ ଆଶା ସଂଚାର କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜେନେରାଲ ସିଂହ।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜେନେରାଲ ସିଂହ ଏହି ଅଭିଯାନର ସୁଫଳ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାପରେ ଉପସ୍ଥିତ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ଜେନେରାଲ ସିଂହ କହିଛନ୍ତି, ଦେଶରେ ପାସ୍ପୋର୍ଟ ଉପଲବ୍ଧିରେ ତ୍ୱରିତ ସଂସ୍କାର ଅଣାଯିବ। ଦେଶରେ ଥିବା ୮୦୦ଟି ମୁଖ୍ୟ ପୋଷ୍ଟ ଅଫିସରେ ପାସପୋର୍ଟ କାର୍ଯ୍ୟାଳୟ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ଖୋଲାଯିବ ୧୫୦ଟି ପାସପୋର୍ଟ ଅଫିସ। ଆସନ୍ତା ୨ ବର୍ଷ ମଧ୍ୟରେ ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟ ପୋଷ୍ଟ ଅଫିସରେ ଏଭଳି ପାସପୋର୍ଟ କାର୍ଯ୍ୟାଳୟ ଖୋଲାଯିବ ବୋଲି ଜେନେରାଲ ସିଂହ କହିଛନ୍ତି। ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବହୁ ଶୀଘ୍ର ୟୁକେରୁ ଭାରତକୁ ପ୍ରତ୍ୟାବର୍ତନ ସଂପର୍କରେ ଜେନେରାଲ ସିଂହ ସାମ୍ବାଦିକମାନଙ୍କ ପ୍ରଶ୍ନର ସ୍ପଷ୍ଟ ଉତର ଦେଇଥିଲେ। ଦେଶର ସେନାବାହିନୀର କାର୍ଯ୍ୟକଳାପ ଉପରେ କଂଗ୍ରେସ ଦେଇଥିବା ବିବାଦୀୟ ମନ୍ତବ୍ୟକୁ କଟୁ ସମାଲୋଚନା କରିବା ସହ ସାଧାରଣରେ କ୍ଷମା ଦାବୀ କରିଛନ୍ତି। ପାକିସ୍ତାନରେ ପଣବନ୍ଦୀ ଥିବା କୂଲଭୂଷଣ ଯାଦବଙ୍କ ମୁକ୍ତି ମାମଲାରେ ଆନ୍ତର୍ଜାତିକ ନ୍ୟାୟାଳୟରେ ବିଚାର ଚାଲିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜେନେରାଲ ସିଂହ। ସାମ୍ବାଦିକଙ୍କ ପ୍ରଶ୍ନରେ ଉତର ଦେଇ ଜେନେରାଲ ସିଂହ କହିଛନ୍ତି ଯେ, ରାଜ୍ୟକୁ ପୂର୍ବାପେକ୍ଷା ଅଧିକ କେନ୍ଦ୍ରୀୟ ଅନୁଦାନ ଆସୁଛି। ମାତ୍ର ଓଡିଶାରେ ଯେଭଳି ବିକାଶ ହେବା କଥା, ତାହା ହୋଇନାହିଁ। ଦୀର୍ଘ ୧୭ ବର୍ଷ ଶାସନ ପରେ ରାଜ୍ୟର ଏଭଳି ଚିତ୍ର ପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି କେନ୍ଦ୍ରମନ୍ତ୍ରୀ ଜେନେରାଲ ସିଂହ କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ର, ରାଜ୍ୟ କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।