ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କଲେ, ଦଳର ସ୍ଥିତି ଦୁର୍ବଳ ହେବ-ସାଂସଦ ତଥାଗତ ସତପଥି

ଭୁବନେଶ୍ୱର: ବିଜେଡି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ ବି କେନ୍ଦ୍ରର ଅବହେଳା ବିରୋଧରେ ଲଢେଇ ଜାରି ରଖିବ। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ସାଂସଦ ତଥାଗତ ସତପଥିଙ୍କ ଦ୍ୱାରା ସମ୍ପାଦିତ ଓଡ଼ିଆ ଖବରକାଗଜର ସମ୍ପାଦକୀୟ ଲେଖା ସଂପର୍କରେ ଏମିତି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ସାଂସଦ ତଥାଗତ ସତପଥି ତାଙ୍କ ସଂପାଦିତ ଖବରକାଗଜର ସମ୍ପାଦକୀୟ ସ୍ତମ୍ଭରେ ଲେଖିଛନ୍ତି, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କଲେ, ଦଳର ସ୍ଥିତି ଦୁର୍ବଳ ହେବ। ତେବେ ଆଜି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ, ଏନଡିଏ ଦଳିତ ସଂପ୍ରଦାୟର ଜଣେ ଦକ୍ଷ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି। ଗତ ରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେଡି ଦ୍ୱାରା ମନୋନୀତ ପ୍ରାର୍ଥୀ ପି.ଏ. ସାଙ୍ଗମାଙ୍କୁ ବିଜେପି ସମର୍ଥନ କରିଥିଲା। ତେଣୁ ଏଥର ବିଜେପି ଦ୍ୱାରା ଚୟନ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।