ଏସିଆନ୍ ଆଥଲେଟିକ୍‌ ଚାମ୍ପିଅନ୍ସିପ୍ ପାଇଁ ଓଡିଶାର ୫ଜଣ ଆଥଲେଟ୍

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍‌ ଚାମ୍ପିଅନ୍ସିପ୍ ପାଇଁ ଘୋଷିତ ହୋଇଛି ୯୫ ଜଣିଆ ଭାରତୀୟ ଆଥଲେଟ୍ ଦଳ। ଏଥିରେ ସ୍ଥାନ ପାଇଛନ୍ତି ଓଡିଶାର ୫ଜଣ ଆଥଲେଟ୍।  ସେମାନେ ହେଲେ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଅମୀୟ ମଲ୍ଲିକ, ପୂର୍ଣ୍ଣିମା ହେମ୍ବ୍ରମ୍ ଓ ଜଉନା ମୂର୍ମୁ । ଅମୀୟ, ଶ୍ରାବଣୀ ଓ ଦୂତୀ ୧୦୦, ୨୦୦ ଓ ୪ ଗୁଣା ୧୦୦ ମିଟର ରିଲେରେ ଭାଗନେବେ ସେହିପରି ଜଉନା ମୂର୍ମୁ ୪୦୦ମିଟର ହର୍ଡଲ୍ସ୍ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ହେପ୍ଟାଥାଲନ୍ ଇଭେଣ୍ଟରେ ଭାଗନେବେ। ଆସନ୍ତା ୫ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ ହେବ ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନ୍ସିପ୍। ସେପଟେ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ର ଉଦ୍ଘାଟନୀ ଉତ୍ସବରେ ଲୋକପ୍ରିୟ ଗୀତ ରଙ୍ଗବତୀ ପରିବେଷଣକୁ ନେଇ ବିବାଦ ତୁଟିଛି। ଗୀତର ମୂଳ ଦୁଇ କଣ୍ଠଶିଳ୍ପୀ ଓ ନିର୍ଦ୍ଦେଶକଙ୍କ ସହ ସମ୍ବଲପୁର ଜିଲ୍ଲାପାଳଙ୍କ ଆଲୋଚନା ପରେ ଏଥିପାଇଁ ଅନୁମତି ମିଳିଛି।  ଫଳରେ ବଲିଉଡ୍‌ର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର-ଏହସାନ୍-ଲୟ  ଉଦଘାଟନୀ କାର୍ଯ୍ୟକ୍ରମରେ ରଙ୍ଗବତୀ ଗୀତକୁ ନିଜ ଷ୍ଟାଇଲରେ ଗାଇବା କାର୍ଯ୍ୟକ୍ରମ ରହିଛି। ସେପଟେ ଉଦଘାଟନୀ ଉତ୍ସବର ଟିକେଟ୍ ନ ମିଳିବାରୁ ଆଜି ଷ୍ଟାଡିୟମ୍ ଆଗରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦିନ ୧୨ଟା ୩୦ରେ ଟିକେଟ୍ କାଉଣ୍ଟର ଖୋଲିଥିଲେ ହେଁ ଉଦଘାଟନୀ ଉତ୍ସବ ପାଇଁ  ଟିକେଟ୍ ସରିଯାଇଥିବା କୁହାଯାଇଥିଲା ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।