ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ ନୂଆଁଖାଇ

ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ।

ପର୍ବ ପାଳନର ବିଶେଷତା
ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି ।ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଆମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଆମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କ ଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

ସାମାଜିକ ଏକତା
ନୂଆଖାଇ ଏକ ଗଣପର୍ବ । ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାରମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟ ରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା ।

ପାଳନ ବିଧି
ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି । ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ । ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗୀରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି । ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।