କେନ୍ଦ୍ର ଦେଉଥିବା ଅର୍ଥ ରାଜ୍ୟ ସରକାର ବାଟମାରଣା କରୁଛନ୍ତି – ମନ୍ତ୍ରୀ ଶ୍ରୀ ୟାଦବ୍

ଭଞ୍ଜନଗର : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରାମ କୃପାଲ ୟାଦବ ଭଞ୍ଜନଗରସ୍ଥିତ ଜେଲ ପଡ଼ିଆରେ ଆୟୋଜିତ ସବ୍କା ସାଥ୍ ସବ୍କା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବା ବେଳେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଭଞ୍ଜନଗର ସବ୍ କଲେକ୍ଟର ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀଙ୍କ ସଙ୍ଗେ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଡାକବଙ୍ଗଳାରେ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ସମେତ ଅନ୍ୟାନ୍ୟ କେନ୍ଦ୍ର ଅନୁଦାନ ପାଉଥିବା ଯୋଜନା ସମ୍ପର୍କରେ ମନ୍ତ୍ରୀ ସଠିକ୍ ତଥ୍ୟ ପାଇନଥିବାରୁ ସେ ବୈଠକ ଅଧାରୁ ଚାଲି ଆସିଥିଲେ।

ମନ୍ତ୍ରୀ ଶ୍ରୀ ରାମକୃପାଲ ୟାଦବ ପ୍ରକାଶ କରିଛନ୍ତି ଯେ କେନ୍ଦ୍ର ବିଭିନ୍ନ ଜନହିତକର ଗରିବଙ୍କ କଲ୍ୟାଣ ନିମନ୍ତେ ଅର୍ଥ ଯୋଗାଉଥିଲେ ମଧ୍ୟ ରାଜ୍ୟସରକାର କୌଣସି କାମ କରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାରେ ପ୍ରତି ଘରେ ଶୌଚାଳୟ, ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳର ସୁବିଧା ନଥିବା ସାଙ୍ଗକୁ ଘର ଗୁଡ଼ିକର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ କୌଣସି ପଦସ୍ଥ ଅଧିକାରୀ ଯିଏକି ସମୀକ୍ଷା ବୈଠକରେ ସଠିକ୍ ତଥ୍ୟ ଦେଇ ପାରିବେ ସେମାନେ ଉପସ୍ଥିତ ନଥିଲେ। ତାଙ୍କୁ ପ୍ରଶାସନ ପକ୍ଷରୁ ଅସହଯୋଗ କରାଯିବାରୁ ବାଧ୍ୟ ହୋଇ ସମୀକ୍ଷା ବୈଠକ ଅଧାରୁ ଛାଡ଼ି ଚାଲି ଆସିଥିଲେ।

ଏହାପରେ ମନ୍ତ୍ରୀ ନିକଟସ୍ଥ ତୁଳସୀପଲ୍ଲୀ ଗ୍ରାମକୁ ଯାଇ ଜଣେ ଦଳିତ ପରିବାର ବୁଦ୍ଧିଆ ନାଇକଙ୍କ ଘରେ ଭୋଜନ କରି ସେମାନଙ୍କ ପରିବାରର ସମସ୍ୟା ବୁଝିଥିଲେ।  ମନ୍ତ୍ରୀଙ୍କୁ ଗ୍ରାମବାସୀ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସରରେ ବହୁ ଗରିବ ପରିବାର ରାସନକାର୍ଡ଼ ପାଇନଥିବା ସରକାର ଯୋଜନାର ଲାଭ ପାଉନଥିବା ପ୍ରକାଶ କରିଥିଲେ। ମନ୍ତ୍ରୀ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲାର ଅବସ୍ଥା ଯଦି ଏହା ତାହା ହେଲେ ସାରା ଓଡ଼ିଶାର ଅବସ୍ଥା କଣ ହୋଇନଥିବ। ଡିଫେନ୍ସ କଲୋନୀ ନିକଟସ୍ଥ ସ୍ୱାମୀ ଚିଦାନନ୍ଦ କଲୋନୀରେ ୨୦ଟି ଇନ୍ଦିରା ଆବାସ ଯୋଜନାରେ ତିଆରି ହୋଇଥିବା ଘର ଗୁଡ଼ିକ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ପ୍ରତ୍ୟେକ ଘର ଭାଙ୍ଗିବା ଅବସ୍ଥାରେ। କୌଣସି ଘରେ ଯୋଜନା ମୁତାବକ ସ୍ୱତନ୍ତ୍ର ରୋଷେଇ ଘର, ଶୌଚାଳୟ ଏବଂ ପାନୀୟ ଜଳର ସୁବିଧା ନାହିଁ। ରାଜ୍ୟ ସରକାର ଗରିବଙ୍କ ପାଇଁ ଆସୁଥିବା ଅର୍ଥ ହେରଫେର କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ହେରଫେର କରୁଛନ୍ତି।

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ମଧ୍ୟ ରାସ୍ତା ନିର୍ମାଣ ଲକ୍ଷ୍ୟ ପୂରଣ ହୋଇ ନାହିଁ। ନବୀନ ପଟ୍ଟନାୟକ ଗରିବ କଲ୍ୟାଣ ଯୋଜନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।  ସନ୍ଧ୍ୟାବେଳେ ସ୍ଥାନୀୟ ଜେଲ୍ ପଡ଼ିଆଠାରେ ଆୟୋଜିତ ସବ୍କାସାଥ ସବ୍କା ବିକାଶ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଲିକତାସ୍ଥିତ ଏଚ୍.ପି.ସି.ଏଲ୍ ର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ପ୍ରିତିଶ୍ କୁମାର ଉପଲଙ୍କ ସଭାପତିତ୍ୱରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ତଥା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନମନ୍ତ୍ରୀ ଶ୍ରୀ ରାମକୃପାଲ ୟାଦବ ମୋଦି ସରକାରଙ୍କ ୩ ବର୍ଷର ଜନ ହିତକର ଯୋଜନା ସମ୍ପର୍କରେ ବୁଝାଇ କହିଲେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଦିନ ଠାରୁ ଦେଶରେ ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ରକୁ କାର୍ଯ୍ୟକାରୀ କରୁଛନ୍ତି। ପୂର୍ବେ ରାଜ୍ୟକୁ କେନ୍ଦ୍ର ସରକାର ମାତ୍ର ୩୨% ଅନୁଦାନ ଦେଉଥିବା ବେଳେ କେନ୍ଦ୍ର ସରକାର ଏହାକୁ ୪୦% କୁ ବୃଦ୍ଧି କରିଛନ୍ତି।

ଠିକ୍ ସେହିପରି ସୈନ୍ୟ ବାହିନୀ ନିମନ୍ତେ ୱାନ୍ ରେଙ୍କ୍ ୱାନ୍ ପେନ୍ସନ ଯୋଜନା କରିବା ଯୋଗୁଁ ୧୩ଲକ୍ଷ ସୈନ୍ୟ ଉପକୃତ ହୋଇଛନ୍ତି। ଜି.ଏସ୍.ଟି. ଲାଗୁ ହେଲେ ସମଗ୍ର ଦେଶରେ ଗୋଟିଏ ‘ଟିକସ’ ରହିବ ଏବଂ ଖାଦ୍ୟ ପଦାର୍ଥ ସମେତ ବହୁ ଜିନିଷର ମୂଲ୍ୟ କମିବ। ବିମୁଦ୍ରିକରଣ ମୋଦି ସରକାରଙ୍କର ବିରାଟ ସଫଳତା। ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଯୋଗୁଁ ବହୁ ଗ୍ରାମରେ ରାସ୍ତା ତିଆରି ଦ୍ରୁତ ଗତିରେ ହୋଇଛି। ଠିକ୍ ସେହିପରି ଫସଲ ବୀମା ଯୋଜନାରେ ପ୍ରାୟ ୧କୋଟି ୨୦ ଲକ୍ଷ କୃଷକ ସାମିଲ ହୋଇଛନ୍ତି।  ମୁଦ୍ରା ଯୋଜନାରେ ଲକ୍ଷଲକ୍ଷ ବେକାର ଋଣପାଇ ଆତ୍ମନିର୍ଭରଶିଳ ହୋଇ ପାରିଛନ୍ତି। ଠିକ୍ ସେହିପରି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୧୯ଲକ୍ଷ ବେକାର ତାଲିମ ପାଇ ରୋଜଗାରର ପନ୍ଥା ଆପଣେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜାଲା ଯୋଜନା ସମେତ ଶୌଚାଳୟ ଏବଂ ଅନ୍ୟାନ୍ୟ ଯୋଜନାରେ ଦେଶର କୋଟି କୋଟି ଜନତା ଲାଭ ପାଇଛନ୍ତି। ସେ କ୍ଷୋଭର ସହ କହିଲେ ଯେ, କେନ୍ଦ୍ର ବିଭିନ୍ନ ଜନହିତକର ଯୋଜନାରେ ରାଜ୍ୟ ସରକାରଙ୍କୁ ଅର୍ଥ ଯୋଗାଉଥିଲେ ମଧ୍ୟ ରାଜ୍ୟ ସରକାର ସେଗୁଡ଼ିକ କରୁ ନାହାନ୍ତି। କେବଳ ଦୁର୍ନିତିରେ ବୁଡ଼ିଥିବା ଏହି ସରକାରଙ୍କ ଏକମାତ୍ର ମନ୍ତ୍ର ହେଲା “ମାଲ୍ ଦୋ କାମ ଲୋ”। ଓଡ଼ିଶାର ଏଭଳି ଅବସ୍ଥା ଦେଖିଲେ ତାଙ୍କୁ ଦୁଃଖ ଲାଗୁଛି। ମନ୍ତ୍ରୀ ଆହୁରି କହିଲେ ପଞ୍ଚାୟତ ନିର୍ବାଚନରେ ଆମେ ଟ୍ରେଲର ଦେଖେଇଛୁ। ସାଧାରଣ ନିର୍ବାଚନରେ ପୂରା ସିନେମା ଦେଖାଇବୁ।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ସୁକାନ୍ତ ପାଣିଗ୍ରାହୀ, ଗୋଲାକ ମହାପାତ୍ର, ପ୍ରଦୀପ ସାହୁ, ନୀଳ ମାଧବ ପାତ୍ର, ପୃଥ୍ୱୀରାଜ ମହାପାତ୍ର, ପ୍ରଦ୍ୟୁମ୍ନ ନାୟକ, ଅମୀୟ ପାତ୍ର, ଅଶୋକ ମିଶ୍ର, ବିନାୟକ ତି୍ରପାଠୀ ମଞ୍ଚାସୀନ ଥିଲେ।  ଓମ୍ ସଙ୍ଗୀତ ଏକାଡେମୀ ପକ୍ଷରୁ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ଗୁରୁ ପ୍ରଦୀପ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପରିବେଷଣ କରାଯାଇଥିଲା।