ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର-ଭୁବନେଶ୍ୱର

ଭୁବନେଶ୍ୱର: ଓଡ଼ିଶାରେ ପରିବେଶ ପର୍ଯ୍ୟଟନ (ଇକୋ-ଟୁରିଜିମ୍ ) ସ୍ଥାନ ଗୁଡିକର ବିକାଶ ଏବଂ ପ୍ରଚାର-ପ୍ରସାର କାର୍ଯ୍ୟ ଉଭୟ ଜଙ୍ଗଲ ଓ ପରିବେଶ ଏବଂ ପର୍ଯ୍ୟଟନ ବିଭାଗ ମିଳିତଭାବେ କରିବେ। ଏଥି ନିମନ୍ତେ ଆଜି ରାଜ୍ୟ ସଚିବାଳୟଠାରେ ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଉପସ୍ଥିତିରେ ଉଭୟ ବିଭାଗଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା।

ଏହି ଅବସରରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଆରତୀ ଆହୁଜା ସୂଚନା ଦେଇଥିଲେ ଯେ, ରାଜ୍ୟରେ ଇକୋ-ଟୁରିଜିମ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଚଳିତ ବର୍ଷ ବିଭିନ୍ନ ଇକୋ-ଟୁରିଷ୍ଟ୍ କେନ୍ଦ୍ରକୁ ପ୍ରାୟ ୧୦,୦୦୦ ଦର୍ଶକ ଆସିଛନ୍ତି। କେତେକ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ଇକୋ-ଟୁରିଜିମ୍ ନିମନ୍ତେ ଥିବା ପର୍ଯ୍ୟାପ୍ତ ସମ୍ଭାବନା ଓ ସୁଯୋଗ ବିଷୟରେ ମଧ୍ୟ ଆଲୋକପାତ କରାଯାଇଛି।

ବୁଝାମଣାପତ୍ର ସ୍ୱାକ୍ଷର ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟର ଜଙ୍ଗଲ, ଅଭୟାରଣ୍ୟ ଏବଂ ସମୁଦ୍ରତଟ ଅଂଚଳ ଆଦିରେ ପରିବେଶ ପର୍ଯ୍ୟଟନର ପର୍ଯ୍ୟାପ୍ତ ସମ୍ଭାର ଅଛି। ଆଜିର ଚୁକ୍ତିନାମା ଅନୁସାରେ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ମିଳିତଭାବେ ଏହାର ବିକାଶ, ରକ୍ଷଣାବେକ୍ଷଣ ଓ ବଜାରକରଣ କରିବେ। ଏହାଫଳରେ ଆଗାମୀ ବର୍ଷମାନଙ୍କକରେ ରାଜ୍ୟକୁ ପର୍ଯ୍ୟଟକ ମାନଙ୍କର ଆଗମନ ବଢ଼ିବ। ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଆମ ରାଜ୍ୟରେ ଥିବା ପରିବେଶ ପର୍ଯ୍ୟଯନ ସ୍ଥଳୀ ଗୁଡିକ ଉଭୟ ଆନ୍ତର୍ଜାତିକ ଏବଂ ଭାରତୀୟ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବ।

ଚୁକ୍ତିନାମା ବାବଦରେ ସୂଚନା ଦେଇ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ନିତୀନ୍ ଭାନୁଦାଶ ଜାଓ୍ୱାଲେ କହିଥିଲେ ଯେ ଜଙ୍ଗଲ ଓ ପରିବେଶ ବିଭାଗ ପର୍ଯ୍ୟଟନ କେନ୍ଦ୍ରର ଭିତ୍ତିଭୂମୀ, ପରିବେଶ ଅନୁକୂଳ ଭ୍ରମଣ, ରହଣୀ ସ୍ଥାନ, ପର୍ଯ୍ୟଟକମାନଙ୍କ ପାଇଁ ଆତିଥ୍ୟ ବ୍ୟବସ୍ଥା ଆଦି କାର୍ଯ୍ୟର ବିକାଶ କରିବେ। ପର୍ଯ୍ୟଟନ ବିଭାଗ ଏହି କେନ୍ଦ୍ର ଗୁଡିକୁ ପର୍ଯ୍ୟଟକ ମାନଙ୍କ ପାଖରେ ଲୋକପ୍ରିୟ କରିବା, ପର୍ଯ୍ୟଟନ କେନ୍ଦ୍ର ମାନଙ୍କ ନିମନ୍ତେ ରାସ୍ତା କାରିଣୀ ଖୁଣ୍ଟ, ସୂଚନା ଫଳକ, ପ୍ରଚାର ଓ ପ୍ରସାର ଆଦି କାର୍ଯ୍ୟର ଦାୟିତ୍ୱ ନେବେ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୨ଟି ଜିଲ୍ଲା ଅନ୍ତର୍ଗତ ୩୦ଟି ପର୍ଯ୍ୟଟନ କେନ୍ଦ୍ରର ବିକାଶ ପାଇଁ ସ୍ଥିର କରାଯାଇଛି। ପର୍ଯ୍ୟଟନ ବିଭାଗ ଏହି କେନ୍ଦ୍ରମାନଙ୍କ ବିଷୟରେ ଦୂରଦର୍ଶନ ଏବଂ ସିନେମାହଲରେ ପ୍ରଦର୍ଶନ ନିମନ୍ତେ କ୍ଷୁଦ୍ର ଚଳଚିତ୍ର ପ୍ରସ୍ତୁତ କରିବେ।

ଶ୍ରୀ ଜାଓ୍ୱାଲେ ଆହୁରି ମଧ୍ୟ ସୂଚନା ଦେିଥିଲେ ଯେ ଡ଼ବ୍ଲ୍ୟୁ ଡ଼ବ୍ଲ୍ୟୁ ଡ଼ବ୍ଲ୍ୟୁ ଡ଼ଟ୍ ଭିଜିଟ୍ ଓଡ଼ିଶା ଡ଼ଟ୍ ଓ ଆର୍ଜି ଏବଂ ଇକୋଟୁର ଓଡ଼ିଶା ଡ଼ଟ୍ କମ୍ ଦୁଇଟି ୱେବ୍ ସାଇଟ୍ କୁ ସଂଯୋଜିତ କରାଯିବ। ଏହାଛଡା ପରିବେଶ ପର୍ଯ୍ୟଟନ କେନ୍ଦ୍ର ମାନଙ୍କ ନିମନ୍ତେ ଅନ୍ଲାଇନ୍ ବୁକିଂ ବ୍ୟବସ୍ଥା କରାଯିବ। ପରିବେଶ କେନ୍ଦ୍ର ଗୁଡିକରେ ପରିଚାଳନା, ଆତିଥ୍ୟ ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ବନ ସୁରକ୍ଷା ମାନଙ୍କୁ ସାମିଲ କରାଯିବ। ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ବନ୍ୟପ୍ରାଣୀ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ସିଦ୍ଧାନ୍ତ ଦାସ, ଏବଂ ପର୍ଯ୍ୟଟନ ବିଭାଗ ତରଫରୁ ନିର୍ଦ୍ଦେଶକ ଶ୍ରୀ ଜାଓ୍ୱାଲେ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ।

ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ଭି.ଭି.ଶର୍ମା, ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଏସ୍.ଏସ୍. ଶ୍ରୀଭାସ୍ତବ୍, ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀ ମନୋରଂଜନ ପାଣିଗ୍ରାହୀ, କ୍ରୀଡା ଓ ଯୁବ ସେବା ବିଭାଗ ସଚିବ ଶ୍ରୀ ବିଶାଳ ଦେବ, ଭୁବନେଶ୍ୱର ପୌରାଞ୍ଚଳ କମିଶନର ଶ୍ରୀ କ୍ରିଷନ୍ କୁମାର ପର୍ଯ୍ୟଟନ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ଉତ୍ପଳ ଦତ୍ତଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।