ତୃତୀୟ ଦିନରେ ପହଞ୍ଚିଲା ଶିକ୍ଷକଙ୍କ ଆନ୍ଦୋଳନ-ଭୁବନେଶ୍ୱର

ଭୁବନେଶ୍ୱର: ତୃତୀୟ ଦିନରେ ପହଞ୍ଚିଲା ଶିକ୍ଷକଙ୍କ ଆନ୍ଦୋଳନ। ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ। ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ଦାବିରେ ସ୍କୁଲ୍ ଓ କଲେଜ ଶିକ୍ଷକମାନେ ଏପରି ଧାରଣା ଚଲାଇଛନ୍ତି। ହେଲେ ସରକାର ଏଯାଏଁ ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରିବାକୁ ଆସି ନଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ। ଅନ୍ୟପକ୍ଷରେ ଶିକ୍ଷକଙ୍କ ଦାବି ଉପରେ ବିଚାର କରାଯାଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି- “ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ୨୦୦୪ ମସିହାରୁ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ବିଷୟରେ ଚିନ୍ତା କରି ଆସୁଛନ୍ତି। ଆଜି ବି ଗଭୀର ଚିନ୍ତା କରୁଛନ୍ତି। ଏମିତି ଚିନ୍ତା କରୁଛନ୍ତି ଯେ ଦୁଇଦିନ ଦୁଇ ରାତି ହେଲା ଆମେ ବାଦଲ ଫଟା ବର୍ଷାରେ ପଡ଼ି ରହିଛୁ, ହେଲେ କାହାର ଦେଖାନାହିଁ। ଆନ୍ଦୋଳନ ଯୋଗୁଁ ରାଜ୍ୟରେ ୭୦ରୁ ୮୦ ପ୍ରତିଶତ ପିଲାଙ୍କ ପାଠପଢା ମଧ୍ୟ ବନ୍ଦ ରହିଛି। ଆଜି ଆମେ ଖବର ପାଉଛୁ ଦୁଇ ଜଣ ବିଧାୟକ ଏଠାକୁ ଆସୁଛନ୍ତି, ଆମେ ତାଙ୍କୁ ସ୍ୱାଗତ କରିବୁ। ଠୋସ୍‌ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।’’