ପଞ୍ଚାୟତ କାର୍ଯ୍ୟାଳୟରେ ଜଣେ ମହିଳାଙ୍କ ପ୍ରସବ -ଆମ୍ବୁଲାନ୍ସ ସଠିକ୍ ସମୟରେ ଆସି ନ ଥିଲା

ନାରାୟଣପାଟଣା: ପୁଣି ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର। ପ୍ରସୂତି ମହିଳାଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ହେଲେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି  ମା’ ଓ ନବଜାତ ଶିଶୁ। କେଉଁଠି ପ୍ରସୂତି ମହିଳାଙ୍କୁ ଖଡ଼ିଆ କିମ୍ୱା ଝୁଡିରେ ବୁହା ହୋଇ ହସ୍ପିଟାଲ ନିଆ ଯାଉଛି ତ ଆଉ କେଉଁଠି ଆମ୍ୱୁଲାନ୍ସ ଠିକ୍ ସମୟରେ ଆସି ନ ପହଞ୍ଚିବାରୁ ବିଚ୍‌ ରାସ୍ତାରେ ପ୍ରସବ କରୁଛନ୍ତି ମହିଳା। ଏଭଳି ଏକ ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁକ୍ଷିତ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ପଡ଼ାପଦର ପଞ୍ଚାୟତରୁ। ଆମ୍ବୁଲାନ୍ସ ସଠିକ୍ ସମୟରେ ଆସି ନ ପହଞ୍ଚିବାରୁ ଶେଷରେ ପଡ଼ାପଦର ପଞ୍ଚାୟତ କାର୍ଯ୍ୟାଳୟରେ ଜଣେ ମହିଳା ପ୍ରସବ କରିଛନ୍ତି। ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ମହିଳା ଜଣକ ହେଲେ ଗାଁର ୱାଡେକା ଭୀମାଙ୍କ ସ୍ତ୍ରୀ ଧାନ ୱାଡେକା। ଧାନଙ୍କ ପ୍ରସବ ବେଦନା ହେବାରୁ ଭୋରରେ ଆସି ପଞ୍ଚାୟତ କାର୍ଯ୍ୟାଳୟ ପହଞ୍ଚିଥିଲେ। ସେଠାରୁ ସେମାନେ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ସଠିକ୍ ସମୟରେ ଆମ୍ବୁଲାନ୍ସ  ଆସିନଥିଲା। ଫଳରେ ଧାନ ପଞ୍ଚାୟତ କାର୍ଯ୍ୟାଳୟରେ ପିଲା ଜନ୍ମ କରିଥିଲେ । ଏହାର କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ଉଭୟ ମା’ ଓ ଶିଶୁକନ୍ୟାକୁ ନିକଟସ୍ଥ ଏକ ମେଡ଼ିକାଲକୁ ନିଆଯାଇଥିଲା।