ପାଟଣାଗଡ଼ ଥାନା ନିକଟସ୍ଥ ଧୁମାଭଟା ଛକଠାରେ ଏକ ସଡ଼କ ଦୁର୍ଘଟଣା

ପାଟଣାଗଡ଼ : ପାଟଣାଗଡ଼ ଥାନା ନିକଟସ୍ଥ ଧୁମାଭଟା ଛକଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏଥିରେ ଗାନ୍ଧୀପଡ଼ାର ବୁଡ଼ୁ ସେନ୍ଦ୍ରିଆ (୫୦)ଙ୍କ ମୃତ୍ୟୁ ଘଟିଛି। ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିବା ସହ ଘଟଣାସ୍ଥଳରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।
ଘଟଣାରୁ ପ୍ରକାଶ ଯେ, ପାଟଣାଗଡ଼ ସହରର ଗାନ୍ଧୀପଡ଼ାର ବୁଡୁ ସେନ୍ଦ୍ରିଆ(୫୦) ଶୁକ୍ରବାର ସଉଦା  କରି ବସଷ୍ଟାଣ୍ଡ ପଟରୁ ସାଇକଲରେ ଘରକୁ ଫେରୁଥିଲେ। ଧୁମାଭଟା ଛକରେ ଧୁମାଭଟା ପଟରୁ ଏକ ଟାଟା ଟ୍ରକ (ଓଆର ୧୫ଡି – ୫୭୮୩) ଆସି ବୁଡୁଙ୍କୁ ଧକ୍କା ଦେବା ସହ ତାଙ୍କ ମୁଣ୍ଡରେ ଚଢ଼ିି ଯାଇଥିଲା। ଫଳରେ ବୁଡୁଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଘଟଣା ପରେ ଟ୍ରକ ଚାଳକ ଗାଡ଼ି ସହ ଥାନାରେ ଆତ୍ମସମର୍ପଣ କରିଥିଲେ।
ଘଟଣା ପ୍ରଚାରିତ ହେବା ପରେ ସହରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତେଜିତ ହୋଇ ଲୋକେ ଥାନା ଘେରାଉ କରିବା ସହିତ ଥାନା ଭିତରେ ଥିବା ଟ୍ରକକୁ ପୋଡି ଦେବା ପାଇଁ ଉଦ୍ୟମ କରୁଥିବା ଦେଖା ଯାଇଥିଲା। ଦୁର୍ଘଟଣା ସ୍ଥଳରେ ମୃତ ଦେହ ରଖି ଉତ୍ତକ୍ତ ଲୋକେ ଟାୟାର ଜାଳି ପାଟଣାଗଡ଼ – ବଲାଙ୍ଗୀର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ କୌଣସି ଯାନ ବାହନ ଚଳାଚଳ ହୋଇ ପାରି ନ ଥିଲା। ବୁଡ଼ୁଙ୍କ ମୃତ୍ୟୁ ପରେ ସହରରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ହୋଇ ପଡ଼ିଛନ୍ତି।
ଅନ୍ୟ ପକ୍ଷରେ ସନ୍ଧ୍ୟା ୫ ଟାରୁ ୮ ଟା ପର୍ଯ୍ୟନ୍ତ ସହରର ମୁଖ୍ୟ ରାସ୍ତାରେ ବହୁ ଭିଡ଼ ରହିଥାଏ। ତେବେ ଉକ୍ତ ସମୟରେ ଲୋଡେଡ ଗାଡି ମୁଖ୍ୟ ରାସ୍ତା ଦେଇ ଯିବା ଆସିବା କଟକଣା କରା ଯାଉଥିବା ସତ୍ତ୍ୱେ ଟ୍ରକ କିପରି ଆସିଥିଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ପାଟଣାଗଡ଼ ପୁଲିସ ଏକ ମାମଲା ରୁଜୁ କରି ଚାଳକକୁ ଅଟକ ରଖାଯାଇ ଅଧିକ ତଦନ୍ତ କରୁଥିବା ପୁଲିସ କହିଛି।