ପିସିସି ସଭାପତିଙ୍କ ଶ୍ୱଶୁରଙ୍କ ମନ୍ତବ୍ୟ ଯୋଗୁଁ କଂଗ୍ରେସରେ କ୍ଷତି ହେଉଛି-ଯୋଗେଶ ସିଂହ

ଭୁବନେଶ୍ୱର: କଂଗ୍ରେସ କଳି ଧୀରେଧୀରେ ଘନେଇବାରେ ଲାଗିଛି। ଗତକାଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ବରିଷ୍ଠ ନେତା ସୁର ରାଉତରାୟ ମୁହାଁମୁହିଁ ହୋଇଥିଲେ। ଆଜି ସେହି କଳିରେ ଘିଅ ଢ଼ାଳିଛନ୍ତି ପ୍ରଫୁଲ୍ଲ ମାଝି ଓ ଯୋଗେଶ ସିଂ। ସୁରଙ୍କୁ ସମାଲୋଚନା କରି ପ୍ରଫୁଲ୍ଲ କହିଛନ୍ତି-“କଂଗ୍ରେସର କ୍ଷତି ବଢ଼ି ଚାଲିଛି। ଏକଥା କାହାକୁ ଅଛପା ନାହିଁ। ପିସିସି ସଭାପତି ନିଜ ଦାୟିତ୍ୱ ଠିକ୍‌ଭାବେ ତୁଲାଇ ପାରୁନାହାନ୍ତି। ଏପରିସ୍ଥଳେ ବିଧାୟକଙ୍କ ବିରୋଧରେ ମତ ଦେବାକୁ ତାଙ୍କ ଶ୍ୱଶୁର(ସୁର)ଙ୍କୁ କିଏ ଅଧିକାର ଦେଲା? ସୁର କଣ ଦଳର ଉପସଭାପତି ନା ସମ୍ପାଦକ ନା ମୁଖପାତ୍ର କନ୍ଦଳକୁ ବ୍ୟକ୍ତିଗତ ସ୍ତରକୁ ନେଉଛନ୍ତି। ଏଥିରୁ ସେ ଦୂରେଇ ରୁହନ୍ତୁ।” ଏହାର ଜବାବ ରଖିଛନ୍ତି ସୁର ରାଉତରାୟ। ସେ କହିଛନ୍ତି-“କାଲିଠୁ ମୋ ପାଟି ସିଲ୍ ପାଇଁ ସଭାପତି କହିଛନ୍ତି। ବାଡ଼େଇଲେ, ଗାଳି ଦେଲେ ମଧ୍ୟ କହିବିନି। କିନ୍ତୁ ପ୍ରସାଦଙ୍କୁ ଟଚ୍ କଲେ, ଶୋଇଥିଲେ ଘରୁ ଉଠାଇ ଆଣିବୁ। କିଏ ଯଦି ବାଡ଼ାଏ, କଣା କରିଦେବି, ଦଳ ଭୁଲିଯିବି। ମୁଁ ସମ୍ଭାଳିବାର ଲୋକ ନୁହେଁ। ମୋତେ କଂଗ୍ରେସରୁ ପଛେ କାଢ଼ି ଦିଅ ସବୁ ସିଧା ହୋଇଯିବ।” ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ପ୍ରଶଂସା କରି ସୁର। କହିଲେ-“ସେ ଜ୍ଞାନୀ ଲୋକ, ମୁଖ୍ୟମନ୍ତ୍ରୀ କରିଦେଲେ ଭଲ କାମ କରିବେ।” ସୁରଙ୍କ ବୟାନ ଉପରେ ଯୋଗେଶ ସିଂହଙ୍କ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି-“ଦଳ କେମିତି ମଜବୁତ ହେବ ସେ ଚିନ୍ତା କାହାରି ନାହିଁ। ସୁର ହାସ୍ୟାସ୍ପଦ ଓ ଦୁଃଖଦାୟକ କଥା କହୁଛନ୍ତି। ପିସିସି ସଭାପତିଙ୍କ ଶ୍ୱଶୁରଙ୍କ ମନ୍ତବ୍ୟ ଯୋଗୁଁ କଂଗ୍ରେସରେ କ୍ଷତି ହେଉଛି। ସୁର କଣ ଦାଦାଗିରି କରୁଛନ୍ତି।”