“ପିସି ବନ୍ଦ” ହେଉଛି ଆପଣଙ୍କର ଏକ ରାଜନୈତିକ ସ୍ଲୋଗାନ, ଯେଉଁଥିରେକି ରାଜନୀତିକ ଇଚ୍ଛାଶକ୍ତିର ଅଭାବ ଦେଖାଯାଏ।”- ବିରୋଧିଦଳ ନେତା ନରସିଂହ ମିଶ୍ର

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ବିଧାୟକ ତଥା ବିରୋଧିଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି। ସେ ତାଙ୍କ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତିଯେ, “ଯଦି ଆପଣ ବ୍ଲକ ସ୍ତରରେ ଚାଲିଥିବା ‘ପିସି ସିଷ୍ଟମ’ ମାମଲାରେ ଗମ୍ଭୀର ଅଛନ୍ତି ଏବଂ ସରକାରୀ କାର୍ଯ୍ୟାଳୟରେ ‘ପିସି’ କୁ ବନ୍ଦ କରିବାକୁ ପ୍ରକୃତରେ ଚାହାନ୍ତି ତେବେ ଏହା ନିଶ୍ଚତ ଭାବରେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। ରାଜ୍ୟରେ ପ୍ରତ୍ୟେକ ବ୍ଲକରେ ଭ୍ରଷ୍ଟାଚାରଚାଲିଛି ଯେଉଁଠାରେ କି ‘ପିସି ସିଷ୍ଟମ’ ବଡ଼ ସ୍ତରରେ ଚାଲିଛି। ଏପରିକି ପିସି ନଦେଲେ କୌଣସି ଫାଇଲ୍ ଆଗକୁ ବଢ଼େନାହିଁ। ଯଦି ଏହି ବିଷୟରେ ଆପଣ ଗମ୍ଭୀର ପଦକ୍ଷେପ ନେବାକୁ ଚାହାନ୍ତି ତେବେ ଆପଣ ଓଡିଶା ଲୋକାୟୁକ୍ତ ଅଧିନିୟମକୁ ତୁରନ୍ତ ଲାଗୁ କରନ୍ତୁ ଯାହାକି ପୂର୍ବରୁ ଭାରତର ରାଷ୍ଟ୍ରପତିଙ୍କର ଅନୁମୋଦନ ଲାଭ କରିସାରିଛି। କିନ୍ତୁ ଏହାକୁ ଲାଗୁ କରିବା ପାଇଁ କେବଳ  ସରକାରଙ୍କର ଅଧିସୂଚନା ଅପେକ୍ଷାରେ ଅଛି। ଏହି ନିୟମକୁ ଲାଗୁ କରିବା ପାଇଁ ଅସାମାନ୍ୟ କାଳ ବିଳମ୍ୱ କରାଯାଉଛି। ମୁ ଆଶା କରୁଛିଯେ, ଆପଣ ଯଦି ଓଡିଶା ଲୋକାୟୁକ୍ତ ଅଧିନିୟମକୁ ତୁରନ୍ତ ଲାଗୁ କରି ଲୋକାୟୁକ୍ତ ନିଯୁକ୍ତି କରନ୍ତି ତେବେ “ପିସି ସିଷ୍ଟମ” ପରି ଭ୍ରଷ୍ଟାଚାରକୁ ରୋକାଯାଇପାରିବ। ଏହି ପରିପ୍ରେକ୍ଷୀରେ ଆପଣ ଯଦି ତୁରନ୍ତ ପଦକ୍ଷେପ ନେଉ ନାହାଁନ୍ତି ତେବେ ଓଡ଼ିଶାର ଜନସାଧାରଣଙ୍କୁ ଜଣା ପଡ଼ିବଯେ, “ପିସି ବନ୍ଦ” ହେଉଛି ଆପଣଙ୍କର ଏକ ରାଜନୈତିକ ସ୍ଲୋଗାନ, ଯେଉଁଥିରେକି ରାଜନୀତିକ ଇଚ୍ଛାଶକ୍ତିର ଅଭାବ ଦେଖାଯାଏ।”