ପ୍ରତି ଅଙ୍ଗନବାଡି କେନ୍ଦ୍ର ଅଂଚଳରେ ୫ ଟି ଲେଖାଏଁ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ପରାମର୍ଶ- ଜିଲ୍ଲାପାଳ କର୍ମଶାଳାର ଶେଷ ଅଧିବେଶନ

ଭୁବନେଶ୍ୱର : ଆଜି ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଜିଲ୍ଲାପାଳ କର୍ମଶାଳାର ଶେଷ ପର୍ଯ୍ୟାୟ ଅଧିବେଶନରେ ୧୫ ଟି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ଯୋଜନା ଗୁଡିକର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ବିଷୟରେ ସମୀକ୍ଷା କରି ଜିଲ୍ଲାପାଳମାନଙ୍କୁ ଆବଶ୍ୟକୀୟ ପରାମର୍ଶମାନ ଦେଇଥିଲେ। ସବୁ ଅଂଚଳରେ ସର୍ବନିମ୍ନ ସେବା ଯୋଗାଣ ନିଶ୍ଚିତ କରିବା ଏବଂ ସମସ୍ତ ଦୂର ଦୂରାନ୍ତ ଅଂଚଳ ସହ ସେବା ପ୍ରଦାନ ଯୋଗାଯୋଗ ପ୍ରତିଷ୍ଠା କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉନ୍ନୟନ କମିଶନର ଶ୍ରୀ ଆର୍.ବାଲାକ୍ରିଷ୍ଣନ୍ ଦୁର୍ଗମ ଅଂଚଳରେ ବିଭିନ୍ନ ସେବା ଯୋଗାଣ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କ କାର୍ଯ୍ୟ, ପରିଦର୍ଶନ ବିବରଣୀ ଏବଂ ପରାମର୍ଶ ଆଦି ବିଷୟରେ ସବିଶେଷ ତଥ୍ୟର ନିୟମିତ ତନଖିକରି ତଦନୁଯାୟୀ ପଦକ୍ଷେପ ନେବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। କର୍ମଶାଳାର ସମୀକ୍ଷା ପର୍ଯ୍ୟାୟରେ ମିଶନ ଶକ୍ତି, ଗ୍ରାମୀଣ ବିଦ୍ୟୁତକରଣ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ, ସାମାଜିକ ମାଧ୍ୟମ ( ସୋସିଆଲ୍ ମେଡିଆ) ର ବ୍ୟବହାର ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟାନ୍ୱୟନ, ଆଧାର ପଞ୍ଜୀକରଣ, ସାମାଜିକ ସୁରକ୍ଷା ଯୋଜନାର ସଂପ୍ରସାରଣ, ହସ୍ତତନ୍ତ ଓ ହସ୍ତ ଶିଳ୍ପକୁ ପ୍ରୋତ୍ସାହନ, ଭୂମି ବ୍ୟାଙ୍କ୍ ପାଇଁ ଭୂମି ଚିହ୍ନଟ, ବ୍ୟବସାୟ ଅନୁକୂଳ ସଂସ୍କାରମୂଳକ ନୀତିନିୟମର ବାସ୍ତବ କ୍ଷେତ୍ରରେ ପ୍ରୟୋଗ, ସହରାଞ୍ଚଳରେ ‘‘ଉନ୍ନତ୍ତି” ଯୋଜନାର କାର୍ଯ୍ୟାନ୍ୱୟନ, ରାସ୍ତା ଦୁର୍ଘଟଣାରେ ମୁତ୍ୟୁହାର ହ୍ରାସ, ପ୍ରାଥମିକ ସେବା ସମବାୟ ସମିତିମାନଙ୍କର କମ୍ପୁଟରିକରଣ, ସରକାରୀ ଆଇ.ଟି.ଆଇ. ଗୁଡିକର ନବୀକରଣ ଆଦି କାର୍ଯ୍ୟକ୍ରମ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା।

ପ୍ରତି ଅଙ୍ଗନବାଡି କେନ୍ଦ୍ର ଅଂଚଳରେ ୫ ଟି ଲେଖାଏଁ ସମଭାବାପନ୍ନ ଦୀର୍ଘସ୍ଥାୟୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିଲା। ମିଶନ ଶକ୍ତି ଗ୍ରୁପ୍ ଗୁଡିକୁ ସାମାଜିକ ସଙ୍ଗଠକ ଗ୍ରୁପ ଭାବେ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ମାନଙ୍କୁ କହିଥିଲେ। ଗ୍ରାମୀଣ ବିଦ୍ୟୁତକରଣ ନିମନ୍ତେ ଜଙ୍ଗଲ ଅନୁମତି କାର୍ଯ୍ୟ ତ୍ୱରିତ ବେଗରେ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଏହି ଯୋଜନା କାର୍ଯ୍ୟାନ୍ୱୟନ ସଂସ୍ଥାର ଅଧିକାରୀ ଓ କର୍ମଚାରୀ ମାନଙ୍କୁ କ୍ଷେତ୍ରସ୍ତରରେ ଆବଶ୍ୟକୀୟ ସହଯୋଗ ଓ ନିରାପତ୍ତା ଯୋଗାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ମଞ୍ଜୁରୀ ଏବଂ ପ୍ରଦାନ କାର୍ଯ୍ୟକୁ ଆବଶ୍ୟକତା ଅନୁଯାୟୀ ତ୍ୱରିତ ବେଗରେ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପାଣ୍ଠି ବିପଦଗ୍ରସ୍ତ ନିଃସହାୟ ବ୍ୟକ୍ତିର ସହାୟତା ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ଏହାର ସମୟୋପଯେଗୀ ବିନିଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସାଧାରଣ ପ୍ରସାଶନ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ଅଶୋକ କୁମାର ମୀନା କହିଥିଲେ। ଜିଲ୍ଲା କାର୍ଯ୍ୟାଳୟର ଫେସ୍ ବୁକ୍ ଏବଂ ଟ୍ୱିଟର ଆକାଉଣ୍ଟ୍ ଖୋଲି ନାଗରିକ ମାନଙ୍କ ଦ୍ୱାରା ପୋଷ୍ଟ କରାଯାଉଥିବା ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା କାର୍ଯ୍ୟାଳୟର ଫେସ୍ ବୁକ୍ ଏବଂ ଟ୍ୱିଟର ଆକାଉଣ୍ଟକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆକାଉଣ୍ଟ୍ ସହ ସଂଯୋଜିତ କରିବା ପାଇଁ ମଧ୍ୟ ଜିଲ୍ଲାପାଳ ମାନଙ୍କୁ କୁହାଯାଇଥିଲା। ରେସନ କାର୍ଡ ଗୁଡିକର ଶତ ପ୍ରତିଶତ ଆଧାର ସଂଯୋଗୀ କରଣ ଉପରେ କର୍ମଶାଳାରେ ଗୁରୁତ୍ୱ ଆରୋପ କରାଯାଇଥିଲା।

ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ କମିଶନର ମାନେ ନିଜ ନିଜ ବିଭାଗ ସଂପର୍କିତ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା କର୍ମଶାଳାର ସଂଯୋଜନା ଏବଂ ପରିଚାଳନା କରିଥିଲେ।