‘ପ୍ରୋଟୋକଲ ଭାଙ୍ଗିବା’ କଥା କହି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିଛନ୍ତି -ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଙ୍କ ଅଭିଯୋଗ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାରେ ଉଦଘାଟିତ ନ୍ୟାସନାଲ ଫୁଡ଼ପାର୍କ କାର୍ଯ୍ୟକ୍ରମରେ ଯୋଗ ନଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ କି ସଙ୍କେତ ଦେଲେ? ଗତକାଲି ରାୟଗଡା ଜିଲ୍ଲା ଭୁଜବଳଠାରେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ପ୍ରଥମ ଫୁଡପାର୍କର ଉଦଘାଟନ କାର୍ଯ୍ୟକ୍ରମରେ ପ୍ରୋଟୋକଲ ଭଙ୍ଗର ବାହାନା ଦେଖାଇ ଯୋଗ ନଦେବା ସହିତ ନବୀନ ବାବୁ ନିଜକୁ ଶିଳ୍ପ ବିରୋଧୀ, ଚାଷୀ ବିରୋଧୀ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ ବୋଲି ପ୍ରମାଣିତ ମଧ୍ୟ କରିଛନ୍ତି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି।
ବାସ୍ତବ କଥା ହେଉଛି, କୌଣସି ପ୍ରୋଟୋକଲ ଭଙ୍ଗ ହୋଇନାହିଁ। ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ କ’ଣ ସ୍ଥିର ହୁଏ ନାହିଁ ବୋଲି ପ୍ରଶ୍ନ କରିବା ସହ ବିଜେଡିର ନେତା, ପ୍ରବକ୍ତା ଓ ମନ୍ତ୍ରୀମାନେ ସକାଳୁ ସକାଳୁ ଖବର କାଗଜ ପଢ଼ି ଦିନ ୧୦ଟା ବେଳକୁ ‘ପ୍ରୋଟୋକଲ ଭାଙ୍ଗିବା’ କଥା କହି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ତାଙ୍କର କାର୍ଯ୍ୟାଳୟ ସ୍ଥିର କରିଥାଏ। କେନ୍ଦ୍ର ସରକାର ଫୁଡ୍ପାର୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ନିମନ୍ତ୍ରଣ କରିବା ସହ ଟେଲିଫୋନ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ, ଅଥଚ ଶାସକ ବିଜେଡି ତରଫରୁ ପ୍ରଥମେ ଏହାକୁ ଅଗ୍ରାହ୍ୟ କରିବା ସହ ପରେ ଚିଠିଟିଏ ଫୋଫାଡ଼ି ଦେଲେ ବୋଲି କହି ଏହାକି ଅସ୍ୱୀକାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସଂଘୀୟ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଏବଂ କେନ୍ଦ୍ର ସହେଯାଗରେ ହିଁ ପ୍ରକଳ୍ପର ସଫଳତା ନିର୍ଭର କରିଥାଏ। ମାତ୍ର ଶିଳ୍ପ, ଚାଷୀ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ ନବୀନ ପଟ୍ଟନାୟକ ରାୟଗଡା ଭଳି ଏକ ଉପାନ୍ତ ଅଂଚଳରେ ଅନୁଷ୍ଠିତ ହେବାକୁ ଥିବା ଏତେ ବଡ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ନଦେଇ ନିଜର ଅସହିଷ୍ନୁତା ଏବଂ ବିରୋଧୀ ମନୋଭାବକୁ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଚିନ୍ତାଧାରା ନିଶ୍ଚିତ ଭାବେ ରାଜ୍ୟର ବିକାଶ ଓ ପ୍ରଗତିରେ ବ୍ୟାପକ ବାଧକ ସୃଷ୍ଟି କରିଛି।
ରାଜ୍ୟବାସୀଙ୍କ ହିତ ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା କେନ୍ଦ୍ର୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏକାଠି ହେବାରେ କ’ଣ ଅସୁବିଧା ଅଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ପଚାରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।

Leave a Reply