ବଲାଙ୍ଗିର ଜିଲ୍ଲା ଝାଙ୍କରପାଲ୍ଲୀ କୁଟୁମ୍ଭଡୋଳାରେ ମଦ ବିରୋଧୀ ଆନ୍ଦୋଳନ

ବଲାଙ୍ଗିର: ମଦ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ମହିଳାମାନେ ଏକତ୍ର ହୋଇ ମଦକୁ ବିରୋଧ କରିବା ସହିତ ଭାଟି ଭାଙ୍ଗୁଛନ୍ତି। ବଲାଙ୍ଗିର ଜିଲ୍ଲା ଝାଙ୍କରପାଲ୍ଲୀ କୁଟୁମ୍ଭଡୋଳାରେ ନୂଆ କରି ଖୋଲିଥିବା ମଦ ଭାଟିକୁ ଆଜି କିଛି ମହିଳା ମିଳିତ ଭାବେ ଆସି ଭାଙ୍ଗି ଦେଇଛନ୍ତି। ଗାଁ ଲୋକଙ୍କ ବିରୋଧ ସତ୍ତ୍ୱେ ମଦ ଭାଟି ଖୋଲା ଯାଇଥିଲା। ଯାହାଫଳରେ ଘରୋଇ ହିଂସା ବଢ଼ୁଥିଲା। ପୁରୁଷମାନେ ଯାହା ଉପାର୍ଜନ କରୁଥିଲେ ସେହି ଅର୍ଥରେ ମଦ ପିଇ ଦେଉଥିଲେ। ପାରିବାରିକ ଅଶାନ୍ତି ଦେଖା ଦେଉଥିଲା। ଏନେଇ ବାରମ୍ୱାର ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା। ଫଳରେ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା। ଶତାଧିକ ମହିଳା ହାତରେ ଠେଙ୍ଗା ବାଡ଼ି ଧରି ଏକତ୍ର ହୋଇଥିଲେ। ପରେ ମଦ ଭାଟି ଭାଙ୍ଗି ଦେଇଥିଲେ। ଏପରିକି ମଦକୁ ବାହାରେ ନଷ୍ଟ କରିଦେଇଥିଲେ।