ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ସେବା ପ୍ରଦାନ ପ୍ରକ୍ରିୟାକୁ ଅନ୍ଲାଇନ୍ କରିବା ଚୁଡାନ୍ତ- ରାଜସ୍ୱ ବିଭାଗ

ଭୂବନେଶ୍ୱର: ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ସେବା ପ୍ରଦାନ ପ୍ରକ୍ରିୟାକୁ ଅନ୍ଲାଇନ୍ କରିବା ନିମନ୍ତେ ରାଜସ୍ୱ ବିଭାଗଙ୍କର ନିର୍ଦ୍ଧିଷ୍ଟ କାର୍ଯ୍ୟଯୋଜନା ଚୁଡାନ୍ତ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହା ଅନୁମୋଦିତ ହୋଇଛି। ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ ଚନ୍ଦ୍ର ଶେଖର କୁମାର ଏ ସମ୍ବନ୍ଧିତ ବିଷୟବସ୍ତୁ ଏବଂ ସଦ୍ୟତନ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ବର୍ତ୍ତମାନ ସୁଦ୍ଧା ଜମି ମାଲିକନା ତଥ୍ୟର ଡିଭିଟାଇଜେସନ୍ କରାଯାଇ ଭୁଲେଖ ସଫ୍ଟୱେଆରକୁ ଅନ୍ଲାଇନ୍ କରାଯାଇଛି। ଭୁନକ୍ସାର ଡିଜିଟାଇଜେସନ୍ କରି ଏହାକୁ ଅନ୍ଲାଇନ୍ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା। ଆସନ୍ତା ୬ ମାସ ମଧ୍ୟରେ ଏହା ପୂର୍ଣ୍ଣାଙ୍ଗ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା।

ଅନ୍ଲାଇନ୍ ପ୍ରକ୍ରିୟା ମାଧ୍ୟମରେ ନାମଜାରି ପ୍ରକ୍ରିୟାକୁ ସ୍ୱୟଂକ୍ରିୟ କରିବା ଉପରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା। ଇତି ମଧ୍ୟରେ ଖୋର୍ଦ୍ଧା, ଜଟଣୀ, ଛତ୍ରପୁର, ଝାରସୁଗୁଡା, ବୌଦ୍ଧ, ଫୁଲବାଣୀ ଓ ନୟାଗଡ ଆଦି ୭ ଟି ତହସିଲରେ ଅନ୍ଲାଇନ୍ ନାମଜାରି ପ୍ରକ୍ରିୟାର ପରୀକ୍ଷାମୂଳକ ପ୍ରୟୋଗ ସଫଳଭାବେ କରାଯାଇଛି। ଏହି ପରୀକ୍ଷାରୁ ମିଳିଥିବା ଅଭିଜ୍ଞତା ଭିତ୍ତିରେ ରାଜ୍ୟର ସମସ୍ତ ୩୧୭ ଟି ତହସିଲରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେବା ଯୋଗାଣ ନିମନ୍ତେ ଇଣ୍ଟରନେଟ୍ ସଂଯୋଗ ପ୍ରକଳ୍ପକୁ ପୁଞ୍ଜିନିବେଶ ଦୃଷ୍ଟି କୋଣରୁ ରାସ୍ତା ନିର୍ମାଣ ଭଳି ଭିତ୍ତିଭୁମି ବିକାଶ ପ୍ରକଳ୍ପର ଗୁରୁତ୍ୱ ଦେବା ପାଇଁ ବୈଠକରେ ଉପସ୍ଥିତ ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍ ପରାମର୍ଶ ଦେଇଥିଲେ। ରାଜ୍ୟର ସମସ୍ତ ତହସିଲକୁ ସ୍ୱତନ୍ତ୍ର ‘‘ମଲ୍ଟି ପ୍ରୋଟୋକଲ୍ ଲେଭେଲ୍ ସୁଇଚିଂଦଦ ବ୍ୟବସ୍ଥା ମାଧ୍ୟମରେ କ୍ଷୀପ୍ର ଇଣ୍ଟରନେଟ୍ ସଂଯୋଗ ବି.ଏସ୍.ଏନ୍.ଏଲ୍. ସଂସ୍ଥା ଦ୍ୱାରା କରାଯିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଏହି କାର୍ଯ୍ୟ ଆସନ୍ତା ୬ ମାସ ମଧ୍ୟରେ ଶେଷ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ ବୋଲି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ତୁହିନ କାନ୍ତ ପାଣ୍ଡେ ପ୍ରତିଶୃତି ଦେଇଥିଲେ।

ଏହି ସଂଯୋଗ ସ୍ଥାପିତ ହେଲେ ସ୍ୱୟଂ କ୍ରିୟ ନାମଜାରି ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ଜମି ଜମା ଖର୍ଦ୍ଦି-ବିକ୍ରୀ ପରେ ପରେ ସବ୍ ରେଜିଷ୍ଟ୍ରାଙ୍କ ଠାରୁ ଫର୍ମ-୩ ମିଳିବା ମାତ୍ରେ ଅନ୍ ଲାଇନ୍ ମ୍ୟୁଟେସନ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ଃ ଚନ୍ଦ୍ର ଶେଖର କହିଥିଲେ। ସମାନ୍ତରାଳ ଭାବେ ଭୁନକ୍ସା ଡିଜିଟାଇଜେସନ୍ ପ୍ରକ୍ରିୟା ୬ ମାସ ମଧ୍ୟରେ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଅନ୍ଲାଇନ୍ ନାମଜାରି ଭୁନକ୍ସା ସହ ସଂଯୋଜିତ କରାହେବ ଯାହା ମାଧ୍ୟମରେ ନାମଜାରି ସହ ନକ୍ସାର ଆବଶ୍ୟକୀୟ ସଂଶୋଧନ ମଧ୍ୟ ଅନ୍ ଲାଇନ୍ ରେ ହେବ। ରାଜ୍ୟରେ ହାଇଟେକ୍ ସର୍ଭେ ପ୍ରକ୍ରିୟାର ସଫଳ ରୂପାୟନ ନିମନ୍ତେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ କମ୍ପ୍ୟୁଟରୀ କରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ସାଲତମାମୀ ରେକର୍ଡ ସଠିକ୍ ଓ ସଦ୍ୟତନ ରଖିବା ନିମନ୍ତେ ଏକ ‘‘ସାଲତମାମୀ ସଫଟ୍ଓୟାରଦଦ ପ୍ରସ୍ତୁତ କରାଯିବା ନିମନ୍ତେ ପାଇଁ ବୈଠକରେ ସ୍ଥିର ହୋଇଥିଲା। ଏନ୍.ଆଇ.ସି. ମାଧ୍ୟମରେ ଏହି ସଫ୍ଟୱେୟାର ୩ ମାସ ମଧ୍ୟରେ ତିଆରି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହାଛଡା ରାଜସ୍ୱ କୋର୍ଟରେ ମକଦ୍ଦମା ପରିଚାଳନା ନିମନ୍ତେ ମଧ୍ୟ ଏକ ଅନ୍ଲାଇନ୍ ସଫଟ୍ଓୟାର ପ୍ରସ୍ତୁତ କରା ହେବ ବୋଲି ବୈଠକରେ ସ୍ଥିର ହୋଇଥିଲା। ସୂଚନାଯୋଗ୍ୟ, ବର୍ତ୍ତମାନ ସାରା ରାଜ୍ୟରେ ୨୪୧୩ ଟି ରାଜସ୍ୱ ନିରୀକ୍ଷକ ମଣ୍ଡଳ, ୩୧୭ ଟି ତହସିଲ କାର୍ଯ୍ୟାଳୟ, ୧୮୫ ଟି ସବ୍-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ, ୫୮ ଟି ରାଜସ୍ୱ ଉପ-ଖଣ୍ଡ, ୩୦ ଟି ଜିଳ୍ଲା ଏବଂ ୩ ଟି ରାଜସ୍ୱ ଡ଼ିଭିଜନ୍ କାର୍ଯ୍ୟ କରୁଛି। ତାହାଛଡା ୧ ଟି ଜମିଜମା ରେକର୍ଡ ଓ ସର୍ଭେ ନିର୍ଦ୍ଦେଶାଳୟ ଏବଂ ଗୋଟିଏ ରାଜସ୍ୱ ପର୍ଷଦ କାର୍ଯ୍ୟ କରୁଛନ୍ତି। ଅନ୍ଲାଇନ୍ ସେବା ପ୍ରକ୍ରିୟା କରଣ ପ୍ରକ୍ରିୟାରେ ଏହି ସମସ୍ତ କାର୍ଯ୍ୟାଳୟ ସଂଯୋଜିତ ହେବ। ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ରନ୍, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ତୁହିନ କାନ୍ତ ପାଣ୍ଡେ, ପଂଚାୟତି ରାଜ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରୁଦ୍ର ନାରାୟଣ ପଲାଇ, ରାଜସ୍ୱ ବିଭାଗ ଯୁଗ୍ମ ଶାସନ ସଚିବ ଶ୍ରୀ ସଂଗ୍ରାମ ମିଶ୍ରଙ୍କ ସମେତ ବି.ଏସ୍.ଏନ୍.ଏଲ୍. ର ବରିଷ୍ଠ ଅଧିକାରୀ ପ୍ରମୁଖ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।