ଭଲ ପାଇବାକୁ ମିଳିଲାନି ସ୍ୱୀକୃତି: ବିଷ ପିଇଲେ ପ୍ରେମୀ ଯୁଗଳ

ଟିଟିଲାଗଡ଼: ସେମାନେ ଥିଲେ ପ୍ରେମୀ ଯୁଗଳ। ଦୀର୍ଘଦିନ ହେଲା ପରସ୍ପରକୁ ଭଲ ପାଉଥିଲେ। ବିବାହ କରିବାକୁ ମଧ୍ୟ ମନ ସ୍ଥିର କରି ସାରିଥିଲେ। ହେଲେ ପ୍ରତିବନ୍ଧକ ସାଜିଲେ ପରିବାର ଲୋକେ। ନିଜ ଲୋକଙ୍କ ପାଖରୁ ନିରାଶ ହେବା ପରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ବିଷ ପିଇ ଦେଇଥିଲେ। ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଞ୍ଚଳରେ। ଖବର ଅନୁସାରେ, ଡୁଙ୍ଗୁରିପାଲି ଗାଁର ସରୋଜ ଭୋଇ ସେହି ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ହେଲେ ଉଭୟଙ୍କ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ସ୍ୱୀକୃତି ଦେଇ ନ ଥିଲେ। ଗତ ୧୯ ତାରିଖରେ ଉଭୟ ଘରୁ ଲୁଚି ପଳାଇଥିଲେ। ଏ ନେଇ ଗତକାଲି ଝିଅ ବାପା ଥାନାରେ ଅଭିଯୋଗ କରିଥିଲେ। ତେବେ ଆଜି ସକାଳୁ ଗାଁ ପାଖ ପୋଖରୀ ନିକଟରେ ଉଭୟ ମୂର୍ମୁଷ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା।ଖବର ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା। ହେଲେ ସେତେବେଳକୁ ସରୋଜଙ୍କ ମୃତ୍ୟୁ ଘଟି ସାରିଥିଲା। ଯୁବତୀଙ୍କୁ ପ୍ରଥମେ ସଇଁତଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନନ୍ତର କରାଯାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।