ଭାରତୀୟ ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଯୋଗୁଁ  ଅଞ୍ଚଳର ୫୮୯ ଚାଷୀ ପ୍ରଧାନମନ୍ତ୍ରୀ ଫସଳ ବୀମାରୁ ବଞ୍ଚିତ

କୋମନା: ନୂଆପଡା ଜିଲ୍ଲା କୋମନା ଭାରତୀୟ ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ଯୋଗୁଁ  ଅଞ୍ଚଳର ୫୮୯ ଚାଷୀ ପ୍ରଧାନମନ୍ତ୍ରୀ ଫସଳ ବୀମାରୁ ବଞ୍ଚିତ ହୋଇଛନ୍ତି । ଚଲିତ ବର୍ଷ ସ୍ବଲ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ବର୍ତମାନ ସୁଦ୍ଧା ଧାନବୁଣା ଠାରୁ ଆରମ୍ଭ କରି ଧାନ ବେଉଷଣ ଓ ରୁଆ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି । ଫଳରେ ପୂର୍ଣ୍ଣ ମରୁଡି ହେବା ଆଶଙ୍କାରେ ଚାଷୀମାନେ ସ୍ଥାନୀୟ ସାହୁକାର ମାନଙ୍କଠାରୁ ଟଙ୍କା କରଜ କରି ଭାରତୀୟ ଷ୍ଟେଟବ୍ୟାଙ୍କରେ ଫସଲବୀମା କରିଥିଲେ । ଫସଳ ବୀମା କରିବା ପାଇଁ ପ୍ରବଳ ଖରାରେ ବ୍ୟାଙ୍କ ସମ୍ମୁଖରେ ଛିଡାହୋଇ ଦରଖାସ୍ତ ଦାଖଲ କରିଥିଲେ । ଦୁଇ ଦିନ ପ୍ରବଳ ଭିଡ଼ ଥିବା ସତ୍ତ୍ବେ ୩୧ ତାରିଖ ସୁଦ୍ଧା ମୋଟ ୮୮୯ ଚାଷୀଙ୍କ ଦରଖାସ୍ତ ବ୍ୟାଙ୍କ ଗ୍ରହଣ କରିଥିଲା । ତନ୍ମଧ୍ୟରୁ ଧାର୍ଜିତ ସମୟାନୁଯାୟୀ କେବଳ ୩୦୦ ଚାଷୀଙ୍କ ଦରଖାସ୍ତ ପଞ୍ଜୀକରଣ କରିବାରେ ସଫଳ ହୋଇଥିଲା ।
ବକେୟା ୫୮୯ ଚାଷୀଙ୍କ ଦରଖାସ୍ତକୁ ଲିଙ୍କ ଫେଲ ଯୋଗୁଁ ପଞ୍ଜୀକରଣ କରି  ନଥିବା ଶାଖା ପରିଚାଳକ  ଶୁଭେନ୍ଦୁ ପଣ୍ଡା କହିଛନ୍ତି ।    ଅପରପକ୍ଷେ, ଲିଙ୍କ ଫେଲ ଥିବା  କଥାକୁ ଚାଷୀ ମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି, ଯଦି ଲିଙ୍କ ଫେଲ ଥିଲା ତେବେ ବ୍ୟାଙ୍କର ଅନ୍ୟାନ୍ୟ କାର୍ଯ୍ୟ ଟଙ୍କା ଲେଣ ଦେଣ ଲିଙ୍କ  ନଥାଇ କିପରି ହୋଇଥିଲା , ବର୍ତ୍ତମାନ ତାହା ଚାଷୀ୍ଙ୍କୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ବିଷୟରେ ଷ୍ଟେଟବ୍ୟାଙ୍କ ଜେନେରାଲ ମ୍ୟାନେଜର  ଭୂବନେଶ୍ବରଙ୍କୁ ଯୋଗାଯୋଗ କରାଯିବାରୁ ବ୍ୟାଙ୍କ ସପକ୍ଷରେ ରହି କଥାକୁ ଏଡାଇ ଦେଇଥିବା ଅଭିଯୋଗ ହୋଇଛି ।ଏଣୁ ଏହାର ଉଚିତ ତଦନ୍ତ କରି ବାକିଥିବା ଦରଖାସ୍ତକୁ ପଞ୍ଜୀକରଣ କରିବା ଓ କାହା ଭୂଲ ପାଇଁ ଚାଷୀମାନେ ପ୍ରଧାନ ମନ୍ତ୍ରୀ ଫସଳ ବୀମାରୁ ବଞ୍ଚିତ ରହିିଛନ୍ତି, ଦୋଷୀ କର୍ମଚାରୀ ଙ୍କ ପ୍ରତି  ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ  ନେବା ପାଇଁ ଚାଷୀମାନେ ଦାବୀ କରିଛନ୍ତି ।