ଭୁବନେଶ୍ୱରରେ ଡିଜି-ଧନ ମେଳା ଅନୁଷ୍ଠିତ-କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭାକର ପ୍ରଭୁ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଭୁବନେଶ୍ୱର : ଘରୋଇ ଅର୍ଥ ବ୍ୟବସ୍ଥାରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଲାଗି ଭୁବନେଶ୍ୱରରେ ଡିଜି-ଧନ ମେଳା ଅନୁଷ୍ଠିତ ହୋଇଛି। କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭାକର ପ୍ରଭୁ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଡିଜି-ଧନ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଆୟୋଜିତ ଏହି ଡିଜି-ଧନ ମେଳାରେ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କମାନେ ଯୋଗଦେଇ ଆଗ୍ରହୀ ଲୋକମାନଙ୍କୁ ଡିଜିଟାଲ ନେଣଦେଣ ବ୍ୟବସ୍ଥା ସମ୍ପର୍କରେ ବୁଝାଉଛନ୍ତି। ଏହାଛଡା ଇ-ୱାଲେଟ, ୟୁପିଆଇ, ୟୁଏସଏସଡି, ନେଟ ବ୍ୟାଙ୍କିଙ୍ଗ, ଏଇପିଏସ, ଭୀମ-ଆପ ଭଳି ସୁବିଧାଜନକ ଓ ସହଜ ଆପ ଗୁଡିକ କିଭଳି ଡାଉନଲୋଡ କରିହେବ ଏବଂ ଏହାର ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ ଓ ସଚେତନ କରାଯାଉଛି। ଏହାଛଡା ଡେବିଟ୍, କ୍ରେଡିଟ୍ ଓ କ୍ୟାସକାର୍ଡ ତଥା ରୂପେ କାର୍ଡର ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ଡିଜି-ଧନ ମେଳାରେ ଲକ୍କି ଗ୍ରାହକ ଯୋଜନା ଓ ବେପାରୀମାନଙ୍କ ପାଇଁ ଥିବା ଡିଜି-ଧନ ବ୍ୟାପାର ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ଜଣେ ଗ୍ରାହକ ୫୦ ରୁ ୩୦୦୦ ଟଙ୍କା ଅଥବା ତା’ଠାରୁ ଅଧିକ ଡିଜିଟାଲ ନେଣଦେଣ କରି ଲକ୍କି ଗ୍ରାହକ ଯୋଜନା ଏବଂ ଡିଜି-ଧନ ବ୍ୟାପାର ଯୋଜନାରେ ସାମିଲ ହୋଇପାରିବେ।

ଭୁବନେଶ୍ୱରରେ ପ୍ରଥମ କରି ଅନୁଷ୍ଠିତ ହେଉଥିବା ଡିଜି-ଧନ ମେଳାରେ ଉଦବୋଧନ ଦେଇ ରେଳବାଇ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ କହିଛନ୍ତି ଯେ, ଦେଶରେ ଏବେ ପ୍ରାୟ ୧୦୦ କୋଟିରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ ଫୋନ୍ ରହିଛି। ଏହି ସଂଖ୍ୟା ପ୍ରତି ମାସରେ ବଢ଼ିବାରେ ଲାଗିଛି। ବିଶେଷକରି ବିମୁଦ୍ରୀକରଣ ପରେ ଡିଜିଟାଲ ନେଣଦେଣ କାରବାର କ୍ରମେ କ୍ରମେ ବୃଦ୍ଧି ପାଉଛି। ଏପରିକି ଗରୀବ ଲୋକମାନେ ମଧ୍ୟ ନିଜର ନୂତନ ରୂପେ କାର୍ଡକୁ ଡେବିଟ୍ ଓ ଏଟିଏମ୍ ଭଳି ବ୍ୟବହାର କରୁଛନ୍ତି। ଓଡିଶା ଭଳି ଅନଗ୍ରସର ରାଜ୍ୟର ଲୋକଙ୍କ ପାଇଁ ଏହା ବେଶ୍ ସହାୟକ ହେବ। ଜନ-ଧନ ଯୋଜନା ସହ ଆଧାର ନମ୍ବରକୁ ଯୋଡା ଯାଇଥିବାରୁ ବାୟୋମେଟ୍ରିକ ପଦ୍ଧତିରେ ମଧ୍ୟ ନେଣଦେଣ ହୋଇପାରିବ। ଡିଜିଟାଲ କାରବାର ଦ୍ୱାରା ଭ୍ରଷ୍ଟାଚାର କମିବ ଏବଂ ଗରୀବ ଲୋକମାନେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମଧ୍ୟକୁ ଆସିପାରୁଛନ୍ତି ବୋଲି ରେଳ ମନ୍ତ୍ରୀ କହିଥିଲେ।

ସମାବେଶରେ ଉଦବୋଧନ ଦେଇ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ବିମୁଦ୍ରୀକରଣ ବେଳେ ଆମ ଅର୍ଥ ବ୍ୟବସ୍ଥାର ୮୬ ପ୍ରତିଶତ ମୁଦ୍ରାକୁ ଅଚଳ କରାଯାଇ ତା ସ୍ଥାନରେ ନୂତନ ଟଙ୍କାର ପ୍ରଚଳନ କରାଯାଇଛି। ଏବେ ଦେଶରେ ୫୦ ରୁ ୬୦ କୋଟି ଡେବିଟ୍, କ୍ରେଡିଟ୍ ଓ କ୍ୟାସ କାର୍ଡ ପ୍ରଚଳିତ ଅଛି। ଡିଜିଟାଲ ନେଣଦେଣ ବ୍ୟବସ୍ଥା ଉପରେ ଜୋର ଦେବା ପରେ ଅନେକ ଲୋକ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି। ଡିଜି-ଧନ ମେଳା ମାଧ୍ୟମରେ ଡିଜିଟାଲ ପାଉଣା ବ୍ୟବସ୍ଥା ପ୍ରତି ସଚେତନତା ସୃଷ୍ଟି କରାଯାଉଛି। ଇ-ୱାଲେଟ, ଏଇପିଏସ, ୟୁପିଆଇ, ୟୁଏସଏସଡି ସହିତ ବର୍ତମାନର ଯୁଗାନ୍ତକାରୀ ଭୀମ-ଆପ ସମସ୍ତଙ୍କ ପାଇଁ ଡିଜିଟାଲ ଅର୍ଥ କାରବାରକୁ ସୁଗମ କରୁଛି। ଏପରିକି କମ ଶିକ୍ଷିତ ଲୋକମାନେ ମଧ୍ୟ ନିଜର ଫୋନ ଜରିଆରେ ଏହି ଆପ କୁ ବ୍ୟବହାର କରୁଛନ୍ତି। ଏବେ ଆଧାର ସଂଲଗ୍ନ ବାୟୋମେଟ୍ରିକ ଆଧାରିତ ନେଣଦେଣ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏହାଦ୍ୱାରା ଯେକୌଣସି ଲୋକ ନିଜ ପକେଟରେ ପଇସା ନଥାଇ ମଧ୍ୟ କିଣା-ବିକା କରିପାରିବ। ଏଥିଲାଗି ଫୋନ ମଧ୍ୟ ଆବଶ୍ୟକ ପଡିବ ନାହିଁ। ଏହା ଜନସାଧାରଣଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।