ମହାପ୍ରଭୁଙ୍କ ହାତୀବେଶ ପୁରସ୍କାର ବାତିଲ କରାଯାଇନି କି ସାମୟିକ ଭାବେ ସ୍ଥଗିତ ବି ରଖାଯାଇନି-ପୁରୀ ଜିଲ୍ଲାପାଳ

ପୁରୀ: ମହାପ୍ରଭୁଙ୍କ ହାତୀବେଶ ପୁରସ୍କାର ରାଶି କଟାଯିବା ପ୍ରସଙ୍ଗକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ପୁରୀ ଜିଲ୍ଲାପାଳ। ପୁରସ୍କାର ବାତିଲ କରାଯାଇନି କି ସାମୟିକ ଭାବେ ସ୍ଥଗିତ ବି ରଖାଯାଇନି। କେବଳ ସ୍ଥଗିତ ରଖିବା ପାଇଁ ଆଲୋଚନା ହୋଇଥିଲା। ତେବେ ହାତୀବେଶ ବେଳେ କିଏ ବିଶୃଙ୍ଖଳା କଲେ ତାର ତଦନ୍ତ ଚାଲିଛି, ଯିଏ ସଂପୃକ୍ତ ଥିବେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରିହେବ ବୋଲି ସେ କହିଛନ୍ତି। ଏନେଇ ପରବର୍ତ୍ତୀ ପରିଚାଳନା ବୈଠକରେ ନିଷ୍ପତ୍ତି ହେବ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ବରୁ ପୁରସ୍କାର ରାଶି କଟାଯିବା ପ୍ରସଙ୍ଗକୁ ନେଇ ପ୍ରଶାସନକୁ ଖୋଲା ଚେତାବନୀ ଦେଇଥିଲେ ସେବାୟତ।  କେତେ ବେଳେ କଣ ଘଟିବ କହିହେବ ନାହିଁ, ପ୍ରଶାସନ ନିଜେ ଅସୁବିଧାରେ ପଡ଼ିବ ବୋଲି ଦଇତାପତି ନିଯୋଗ କହିଥିଲା।