ରମ୍‌ଜାନ ପରେ ଦିଲ୍ଲୀରେ ଇମାମ ବୈଠକ: ଅଯୋଧ୍ୟା ପ୍ରସଙ୍ଗରେ ହେବ ଆଲୋଚନା

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗରେ ଏକ ସୌହାର୍ଦପୂର୍ଣ୍ଣ ସମାଧାନ ପାଇଁ ଦେଶର ସବୁ ପ୍ରାନ୍ତର ମୁସ୍‌ଲିମ ଧର୍ମଗୁରୁମାନେ ଦିଲ୍ଲୀରେ ବୈଠକ କରିବେ ବୋଲି ଅଲ୍‌ ଇଣ୍ଡିଆ ଇମାମ ସଂଗଠନର ଇମାମ ଉମେର ଅହମଦ ଇଲ୍ୟାସି କହିଛନ୍ତି। ଅଯୋଧ୍ୟା ମାମଲାକୁ କୋର୍ଟ ବାହାରେ ଆପୋସ ବୁଝାମଣା ଦ୍ୱାରା ସମାଧାନ କରିବା ପାଇଁ ସୁପ୍ରିମ କୋର୍ଟ ଗତ ମାର୍ଚରେ ପରାମର୍ଶ ଦେଇଥିବାରୁ ଇଲ୍ୟାସି ଏହାକୁ ସ୍ୱାଗତ କରିଛନ୍ତି। ଇମାମ ଏବଂ ହିନ୍ଦୁ ସନ୍ଥମାନଙ୍କ ମଧ୍ୟରେ ସୌହାର୍ଦପୂର୍ଣ୍ଣ ଆଲୋଚନାରେ ଅଯୋଧ୍ୟା ବିବାଦର ସମାଧାନ ହୋଇପାରିବ ବୋଲି ସେ ଆଶାପ୍ରକଟ କରିଛନ୍ତି। ସର୍ବସମ୍ମତରେ ଉଭୟ ସଂପ୍ରଦାୟର ଗ୍ରହଣୀୟ ହେବା ଭଳି ଏକ ଶାନ୍ତିପୂର୍ଣ୍ଣ ସମାଧାନ କରାଯିବ। ସବୁ ଦଳମାନେ ମଧ୍ୟ ଏକତ୍ର ଆଲୋଚନା କରି ବିବାଦର ସମାଧାନ କରିପାରିବେ। ଇମାମଙ୍କ ବୈଠକର ଫଳାଫଳ ପରେ ମନ୍ଦିର ପୂଜକ ଓ ସନ୍ଥମାନଙ୍କ ସହ ଆଲୋଚନା ହେବ ବୋଲି ସେ କହିଛନ୍ତି। ରାଜ୍ୟରେ ସାଂପ୍ରଦାୟିକ ସଦ୍‌ଭାବକୁ ସଶକ୍ତ କରିବା ପାଇଁ ଦିନିକିଆ ଆଲ୍ଲାହାବାଦ ଗସ୍ତ ଅବସରରେ ଇମାମ ଏହା କହିଛନ୍ତି।
ସେହିପରି ପାକିସ୍ତାନର ବାରମ୍ବାର ଆକ୍ରମଣ ଓ ଭାରତୀୟ ଯବାନଙ୍କ ମୁଣ୍ଡକାଟ ନେଇ ସେ ପାକିସ୍ତାନ ଉପରେ ଭୀଷଣ ବିଷୋଦ୍‌ଗାର କରିଛନ୍ତି। ଏହାର ଉଚିତ ଜବାବ ଦେବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ନିବେଦନ କରିଛନ୍ତି। ଏହା ସହ ଗାଈକୃୁ ରାଷ୍ଟ୍ରୀୟ ପଶୁର ମାନ୍ୟତା ଦେବାକୁ ଦାବି କରିଥିବା ବେଳେ ଆଇନସମ୍ମତ କଂସେଇ ଖାନାଗୁଡ଼ିକୁ ହଇରାଣ କରାନଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି।