ରାଜଧାନୀରେ ପ୍ରଥମ ସ୍ୱାଇନ ଫ୍ଲୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ପ୍ରଥମ ସ୍ୱାଇନ ଫ୍ଲୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ଅନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୪ ଜଣ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ବିଭିନ୍ନ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ସ୍ୱାଇନ୍‌ ଫ୍ଲୁର ମୁକାବିଲା ପାଇଁ କଟକ ବଡ଼ମେଡ଼ିକାଲରେ ଏକ ସ୍ୱତନ୍ତ୍ର ୱାର୍ଡ଼ ଖୋଲା ଯାଇଛି। ଏଥିରେ ୮ଟି ବେଡ୍‌ ରହିଛି। ଏଥିପାଇଁ ଆବଶ୍ୟକ ଔଷଧ ମହଜୁଦ୍‌ ରଖାଯାଇଥିବା ବେଳେ ଜଣେ ଡାକ୍ତରଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ଏହାଛଡ଼ା ସ୍ୱାଇନ୍‌ ଫ୍ଲୁ ସମ୍ପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।