ରାତି ପାହିଲେ ସାବିତ୍ରୀ, ବଜାରରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର: ଆସୁଛି ସାବିତ୍ରୀ। କିମ୍ବଦନ୍ତୀ କହେ ଏହି ଦିନ ହିଁ ସାବିତ୍ରୀ ମୃତ୍ୟୁର ଦେବତା ଯମଙ୍କ ସହ ଲଢ଼ି ନିଜ ସ୍ୱାମୀ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ।  ତେଣୁ ଏହି ଦିନଟିକୁ ହିନ୍ଦୁ ଧର୍ମରେ ସାବିତ୍ରୀ ବ୍ରତ ଭାବେ ପାଳନ କରାଯାଏ। ବିଶ୍ୱାସ ଅଛି ଯେ ସାବିତ୍ରୀ ବ୍ରତ କଲେ ସ୍ୱାମୀ ଦୀର୍ଘାୟୁ ହୁଅନ୍ତି। ତେଣୁ ସଧବା ମହିଳାମାନେ ଶାଢ଼ି, ଚୁଡ଼ି, ସିନ୍ଦୂର ଓ ବିଭିନ୍ନ ରକମର ଫଳମୂଳ ସହ ଏହି ଦିନ ପୂଜାର୍ଚନା କରନ୍ତି। ସାବିତ୍ରୀକୁ ନେଇ ଏବେ ମହିଳାମାନଙ୍କ ମନରେ ବେଶ୍‌ ଉତ୍ସାହ। ଆଉ ଏହି ଉତ୍ସାହକୁ ଲକ୍ଷ୍ୟ କରି ବଜାର ବି ସରଗରମ ହୋଇଯାଇଛି। ଫଳଠାରୁ ଆରମ୍ଭ କରି ଶାଢ଼ି ପର୍ଯ୍ୟନ୍ତ ସବୁ ଦୋକାନରେ ଅସମ୍ଭାଳ ଭିଡ଼।  ଅସହ୍ୟ ଗରମ ଓ ଗୁଳୁଗୁଳିକୁ ଖାତିର୍‌ ନ କରି ଫଳମୂଳ ଓ ଶାଢ଼ିଚୂଡ଼ି କିଣିବାକୁ ସମସ୍ତେ ଏବେ ବଜାରମୁହାଁ।

ଓଡ଼ିଆ ଘରର ନିୟମ ଅନୁଯାୟୀ ସାବିତ୍ରୀରେ ବିବାହିତ ଝିଅ ଘରକୁ ବାପ ଘରୁ ଭାର ଯାଏ। ତେବେ ଏଭଳି ଚଢ଼ା ଦର ଦେଖି ଝିଅ ବାପା ଓ ସତ୍ୟବାନ ସ୍ୱାମୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲେ ବି ପରମ୍ପରାକୁ ବଞ୍ଚାଇ ରଖିବାକୁ ମହଙ୍ଗା ମାଡ଼ ସତ୍ତ୍ୱେ ବିଭିନ୍ନ ଦୋକାନରେ ଭିଡ଼ ଲଗାଇଛନ୍ତି ସମସ୍ତେ। କିଛି ଦିନ ତଳେ ନଡ଼ିଆ  ଦର ଥିଲା ୧୦ରୁ ୧୧ ଟଙ୍କା। ସାବିତ୍ରୀକୁ ଲକ୍ଷ୍ୟ ରଖି ଏହା ବର୍ତ୍ତମାନ ଏହା ୧୫ରୁ ୨୦ ଛୁଇଁଲାଣି। ସେହିପରି ଦେଶୀ କଦଳୀ ଡଜନ ୬୦ ଟଙ୍କାରୁ ଯାଇ ୯୦ ଟଙ୍କାରେ ଲାଗିଲାଣି। ସାବିତ୍ରୀ ପୂଜା ପାଇଁ ଆବଶ୍ୟକ ସପୁରୀର ଦାମ୍‌ ଗୋଟାକୁ ୨୫-୩୫ଟଙ୍କା, ପଣସ ୩୦ରୁ ଯାଇ ୬୦ଟଙ୍କା, ଖଜୁରୀ ଗୋଟିଏ ଛୋଟ ଡେମ୍ଫ ୫ ଟଙ୍କା, ସପେଟା କିଲୋ ୮୦ଟଙ୍କା, ଆମ୍ବ ୫୦-୬୦ ଟଙ୍କା, ଲିଚୁ ୧୨୦ଟଙ୍କା, ଜାମୁରୋଳ ୧୬୦ ଟଙ୍କା, ଅଙ୍ଗୁର ୮୦ଟଙ୍କା, ସେଓ ୧୩୦-୧୪୦ ଓ କମଳା ୧୦୦ ଟଙ୍କା ଲେଖାଏଁ ରହିଛି। ଅନ୍ୟ ଦିନ ତୁଳନାରେ ଏବେ ସବୁ ଫଳ ପ୍ରାୟ କିଲୋପିଛା ୧୦-୧୫ ଟଙ୍କା ବଢ଼ିଥିବା ବେଳେ କଦଳୀ ସିଧା ଡଜନ୍‌କୁ ୩୦ ଟଙ୍କା ଲେଖାଏଁ ବଢ଼ିଛି ବୋଲି ୟୁନିଟ୍‌-୧ ହାଟର ଫଳ ବ୍ୟବସାୟୀ ବଳରାମ ମହାରଣା କହିଛନ୍ତି। ଆସନ୍ତା ଦୁଇ ଦିନ ଭିତରେ ଗ୍ରାହକଙ୍କ ଚାହିଦାକୁ ଦେଖି ଫଳ ଦାମ୍‌  ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି।

ଖାଲି ସେତିକି ନୁହେଁ, ସାବିତ୍ରୀ ପୂଜା ପାଇଁ ଆବଶ୍ୟକ ସାମଗ୍ରୀର ଦାମ୍‌ ମଧ୍ୟ ଗତ ବର୍ଷ ଅପେକ୍ଷା ୫-୧୦ ଟଙ୍କା ବଢ଼ିଛି ବୋଲି ଜନପଥରେ ନିଜ ପୂଜା ସାମଗ୍ରୀ ପସରା ଖୋଲିଥିବା ବେପାରୀ କେଦାର ନାଥ ସାହୁ କହିଛନ୍ତି। ପୂଜା ବ୍ରତ, ପାଟ ଫୁଲି, ଗୁଆ, ହରିଡ଼ା,  ବାହାଡ଼ା, ମଥା ବସା, ସିନ୍ଦୂର, କାଠ ପାନିିଆ, ଦର୍ପଣ, କଳାମାଳି, ତୁଳା ଅଳତା, ସାଲୁ କନା, ବ୍ରତ ବହି ଆଦିର ଏକ ସେଟ୍‌ ୬୦ଟଙ୍କା ଲେଖାଏଁ ରହିଛି। ଗତ ବର୍ଷ ଏହା ୫୦ ଟଙ୍କାରେ ବିକ୍ରି ହେଉଥିଲା। ଏହି ସବୁ ସାମଗ୍ରୀ ଅଲଗା ଅଲଗା କିଣିଲେ ଗୋଟିକ ୨ରୁ ୫ ଟଙ୍କା ଲେଖାଏଁ ପଡ଼ିବ ବୋଲି ସେ କହିଛନ୍ତି। ସେହିପରି ଶାଢ଼ି ବଜାରରେ ବି ଗତ କିଛି ଦିନ ହେଲା ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହେଉଛି। ସାବିତ୍ରୀକୁ ନଜରରେ ରଖି ରାଜଧାନୀର ବିଭିନ୍ନ ମଲ୍‌ ଓ ସପିଂ କମ୍ପ୍ଲେକ୍ସଗୁଡ଼ିକରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ରିହାତି ଅଫର୍‌ ଆସନ୍ତା ରଜ ଯାଏଁ ବଳବତ୍ତର ରହିବ ବୋଲି ବ୍ୟବସାୟୀମାନେ ସୂଚନା ଦେଇଛନ୍ତି।