ରାମରହିମଙ୍କୁ ଆଇପିସି ଧାରା ୩୭୬, ଧାରା ୫୧୧ ଓ ଧାରା ୫୦୧ ଅନୁଯାୟୀ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ

ରୋହତକ : କଏଦୀ ନମ୍ବର ୧୯୯୭ ରାମରହିମଙ୍କ ନୂଆ ପରିଚୟ । ୨୦୦୨ ସାଧ୍ୱୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଡେରା ପ୍ରମୁଖ ବାବା ରାମ ରହିମଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ଆଇପିସି ଧାରା ୩୭୬, ଧାରା ୫୧୧ ଓ ଧାରା ୫୦୧ ଅନୁଯାୟୀ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ମେଡିକାଲ ଯାଞ୍ଚ ପରେ ତାଙ୍କୁ ଜେଲ ପଠାଯିବ । କିନ୍ତୁ ଦଣ୍ଡ ଘୋଷଣା ପରେ କୋର୍ଟ ପରିସରରେ କାନ୍ଦି କାନ୍ଦି କୁଆଡେ ଯିବେ ନାହିଁ ବୋଲି କହିଛନ୍ତି ରାମରହିମ । ରୋହତକ ଜେଲରେ ବସିଥିବା ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଏହି ମାମଲାରେ ଶୁଣାଣି ବେଳେ କୋର୍ଟ ରୁମରେ କାନ୍ଦି ପକାଇଥିଲେ ବାବା । ତା ସହିତ ତାଙ୍କୁ କ୍ଷମା କରିଦେବାକୁ ବିଚାରପତିଙ୍କ ନିକଟରେ କାକୁତିମିନତି ହୋଇଥିଲେ । ଏହି ମାମଲାର ଶୁଣାଣି ବେଳେ ଉଭୟ ପକ୍ଷର ଓକିଲଙ୍କୁ ପକ୍ଷ ରଖିବାକୁ ୧୦ ମିନିଟ ଲେଖାଏଁ ସମୟ ଦେଇଥିଲେ ବିଚାରପତି । ବାବାଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ପାଇଁ ସରକାରୀ ଓକିଲ କୋର୍ଟ ଆଗରେ ଆବେଦନ କରିଥିଲେ । ସେହିଭଳି ରାମରହିମଙ୍କ ଓକିଲ ତାଙ୍କ ଯୁକ୍ତିରେ କହିଥିଲେ ଯେ, ବାବା ଜଣେ ସମାଜସେବୀ । ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟ ସେ କରିଛନ୍ତି । ତେଣୁ ତାଙ୍କ ଦଣ୍ଡ କୋହଳ କର।ଯାଉ । ଏପରିକି ପୂର୍ବରୁ କୋର୍ଟ ଏହି ମାମଲାରେ ରାମରହିମଙ୍କୁ ଦୋଷୀ ସାବ୍ୟସ୍ତ କରି ସାରିଥିଲେ । ଦଣ୍ଡ ଘୋଷଣାର କିଛି ସମୟ ପୂର୍ବରୁ ଶିର୍ଷାରେ ବାବାଙ୍କ ସମର୍ଥକ ମାନେ ଦୁଇଟି ଗାଡିରେ ନିଆଁ ଲଗାଇ ଦେଇଥିଲେ । ଏପରିକି ପୂର୍ବଭଳି ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେ ନେଇ ବେଶ୍ ସଜାଗ ହୋଇ ଉଠିଥିଲେ ସରକାର । ଏପରିକି ଜେଲ ପାଖରେ ଯେକୌଣସି ସଦିଗ୍ଧଙ୍କୁ ଦେଖିଲେ ଗୁଳି ମାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୂରା ସୁରକ୍ଷାବଳୟ ଭିତରେ ରହଥିଲା ରୋହତକ । ହିଂସାକୁ ଦୃଷ୍ଟିରେ ରଖି ପଞ୍ଜାବ ଓ ହରିୟାଣାରେ ୨୮ କମ୍ପାନି ପାରା ମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସମର୍ଥକ ମାନେ ଯେପରି ରକ୍ତର ହୋଲି ଖେଳିଲେ ତାହାର ପୁନରାବୃତ୍ତି ଯେପରି ନ ଘଟେ ସେନେଇ ଉଭୟ ପୁଲିସ ଓ ପ୍ରଶାସନ ସଜାଗ ରହିଛନ୍ତି । ଜେଲ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ପୂରା ଅଞ୍ଚଳ ପୋଲିସ ନିୟନ୍ତ୍ରଣରେ ରହିଛି । ଏହି ମାମଲାର ଶୁଣାଣି ପାଇଁ ସିବିଆଇର ସ୍ୱତନ୍ତ୍ର ବିଚାରପତି ଜଗଦୀପ ସିଂହଙ୍କୁ ହେଲିକପ୍ଟର ମାଧ୍ୟମରେ ରୋହତକ ଜେଲ ଅଣାଯାଇଛି । ଶୁକ୍ରବାର ରାମ ରହିମଙ୍କ ଖବରର ପ୍ରସାରଣ କରୁଥିବା ବେଳେ ବାବାଙ୍କ ସମର୍ଥକ ମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରିବା ସହ ଓବି ଭ୍ୟାନ ପୋଡି ଦେଇଥିଲେ । ତେଣୁ ଏଥର ଶୁଣାଣି ବେଳେ ଗଣମାଧ୍ୟମର ପ୍ରତି ଓବି ଭ୍ୟାନର ସୁରକ୍ଷା ପାଇଁ ଜଣେ ଜଣେ ସିଆରପିଏଫ ଯବାନଙ୍କୁ ନିଯୁକ୍ତ କରାଯାଇଛି ।