ରାହୁଲଙ୍କ ସହ ୩ ଓଡ଼ିଶା ନେତାଙ୍କ ସାକ୍ଷାତ ନୋହିଲା

ନୂଆଦିଲ୍ଲୀ: ଓଡିଶା କଂଗ୍ରେସ ସଙ୍ଗଠନର ପୁନର୍ବିନ୍ୟାସ ପାଇଁ  ଗତକାଲି ଉପାଧ୍ୟକ୍ଷ ରାହୁଲ ଗାନ୍ଧି  ଚାରିଟି ପର୍ଯ୍ୟାୟରେ ରାଜ୍ୟର ଦଳୀୟ ନେତାମାନଙ୍କ ସହ ମାରାଥନ ବୈଠକ କରିଥିଲେ। ଏହି ବୈଠକରେ ଯୋଗ ଦେଇପାରିନଥିବା ରାଜ୍ୟ କଂଗ୍ରେସର ଦୁଇଜଣ ବିଧାୟକ- ଡ. ପ୍ରଫୁଲ ମାଝି, ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ପୂର୍ବତନ ସାଂସଦ ଅନନ୍ତ ଚରଣ ସେଠୀଙ୍କର ଆଜି ରାହୁଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ କୌଣସି କାରଣବଶତଃ ଆଜି ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ରାହୁଲ ବାତିଲ କରିଥିବାରୁ ଏହି ତିନି ନେତାଙ୍କ ସହିତ ସାକ୍ଷାତ କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି। ତିନି ନେତାଙ୍କୁ ଦଳୀୟ ବିଶୃଙ୍ଖଳା ଅଭିଯୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାରୁ ରାହୁଲଙ୍କ ସହ ଏମାନଙ୍କ ବୈଠକକୁ  ବର୍ତ୍ତମାନ ଓଡ଼ିଶା ପିସିସି ପୁନର୍ଗଠନ ପୃଷ୍ଠଭୂମିରେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିଲା। ଆଜିର ବୈଠକକୁ ଘୁଞ୍ଚାଇ ଦିଆଯାଇଥିବାରୁ ଯେତେବେଳେ ରାହୁଲ ଗାନ୍ଧି ସେମାନଙ୍କୁ ଭେଟିବାକୁ ସମୟ ଦେବେ ସେମାନେ ତାଙ୍କୁ ଭେଟିବେ ବୋଲି କହିଛନ୍ତି। ରାହୁଲ ଏହି ତିନି ନେତାଙ୍କୁ ୧୧ତାରିଖରେ ଭେଟିବାର ସମ୍ଭାବନା ଥିବା କୁହାଯାଉଛି। ଆଜି କିଛି ଓଡ଼ିଶା କଂଗ୍ରେସ ନେତା ଏଆଇସିସି କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି।