ଲାଞ୍ଚ ନେଉଥିବା ବେଳେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅରୂପାନନ୍ଦ ରାଉଳଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି-ବାଲେଶ୍ୱର

ବାଲେଶ୍ୱର: ଲାଞ୍ଚ ନେଉଥିବା ବେଳେ କଲ୍ୟାଣୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଅରୂପାନନ୍ଦ ରାଉଳଙ୍କୁ ଆଜି ଭିଜିଲାନ୍ସ ଟିମ୍ ଗିରଫ କରିଛି। ବାହାନଗା ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତର ନରେନ୍ଦ୍ର ପାଲ୍ଙ୍କ ଅଭିଯୋଗ କ୍ରମେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ପ୍ରାପ୍ତ ସୂଚନା ଅନୁସାରେ କଲ୍ୟାଣୀ ଅଞ୍ଚଳର ଶ୍ରୀ ପାଲ୍ ଗୋଟିଏ ପୋଖରୀ ଖୋଳିବା ପାଇଁ ବିଭିନ୍ନ ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରାଉଳଙ୍କ ନିକଟକୁ ଦୌଡ଼ୁଥିଲେ। ମାତ୍ର କାର୍ଯ୍ୟାଦେଶ ବାବଦକୁ ଶ୍ରୀ ରାଉଳ ୨୦ ହଜାର ଟଙ୍କା ଲାଞ୍ଚ ମାଗି ଚାଲିଥିଲେ। ଲକ୍ଷେ ଟଙ୍କାର ପୋଖରୀ ପାଇଁ ଏତେ ଟଙ୍କା ଲାଞ୍ଚ ଦେବାକୁ ନରେନ୍ଦ୍ର ଅମଙ୍ଗ ଥିଲେ। ଏନେଇ ନରେନ୍ଦ୍ର ବାଲେଶ୍ୱର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ସନ୍ଧ୍ୟାବେଳେ ନିର୍ବାହୀ ଅଧିକାରୀ ଶ୍ରୀ ରାଉଳ ସୋର ଏକ୍ସିସ୍ ବ୍ୟାଙ୍କ ନିକଟରେ ଲାଞ୍ଚ ନେଉଥିବାବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଭିଜିଲାନ୍ସ ଇନ୍ସ୍ପେକ୍ଟର ମାନସୀ ଜେନାଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।