ଶବକୁ ବୋହି ନେବା ଘଟଣା ସାଧାରଣରେ ଚର୍ଚ୍ଚା-ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲାର ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଜଣେ ହରିଜନ ମହିଳାଙ୍କ ମୃତ୍ୟୁ ପରେ ମହାପ୍ରୟାଣ ଗାଡି ନ ମିଳିବାରୁ ମୃତ ମହିଳାଙ୍କ ଆତ୍ମୀୟ ମାନେ ଶବକୁ ବୋହି ନେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। କଳାହାଣ୍ଡି ଜିଲ୍ଲାରେ ଦାନ ମାଝି ନିଜ ପତ୍ନୀଙ୍କ ଶବ ବୋହିବା ଖବର ଆନ୍ତର୍ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା। ଆଜି ଜଣେ ଗରିବ, ହରିଜନ ମହିଳାଙ୍କ ଶବକୁ ବୋହି ବୋହି ନେବା ଖବର ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ସୋରଡା ନିକଟସ୍ଥ ସୋରିଷ ବିଲି ଗ୍ରାମର ଶ୍ରୀମତୀ ଭାନୁମତି ନାଇକ ଅସୁସ୍ଥ ହୋଇ ସୋରଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ହରିଜନ ଓ ଗରିବ ପରିବାରର ଲୋକ ହୋଇଥବାରୁ ଶବ ବୁହା ଗାଡି ଯୋଗାଡ଼ କରା ଯାଇପାରିନଥିଲା। ଶବକୁ ଲୁଗା ଗୁଡ଼ାଇ ଏକ କାଠରେ ବାନ୍ଧି ସୋରଡ ଠାରୁ ପ୍ରାୟ ୪ କିଲୋ ମିଟର ଦୂର ସୋରିଷ ବିଲି ବୋହି ନିଆଯାଇଥିଲା।  ଏହି ଘଟଣା ସୋରଡ଼ା ର ବି.ଜେ.ପି.କର୍ମୀ ମାନେ ଦେଖି ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଅଭିଯୋଗ ପରେ ଭଞ୍ଜନଗର ଉପ ଜିଲ୍ଲାପାଳ ମାମଲାର ଅନୁଧ୍ୟାନ ଚଳାଇଛନ୍ତି।