ଶିଳ୍ପପତି ମହିମା ମିଶ୍ରଙ୍କୁ ହତ୍ୟା ମାମଲାରେ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କୁ ପାରାଦୀପ ସିୱେଜ୍ ସିପିଂ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଆଜି ହାଇକାର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତେବେ କଟକ ପ୍ରେସ୍ ଛକ ବୋମାମାଡ଼ ଘଟଣାରେ ଜାମିନ ମିଳିନାହିଁ। ମହିମାଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କେ.ଟି.ଏସ୍. ତୁଲସୀ ପକ୍ଷ ରଖିଥିଲେ। ଉଭୟ ମାମଲାରେ ପୋଲିସ୍ ପକ୍ଷରୁ ମହିମାଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇସାରିଛି। ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପୂର୍ବରୁ ସହ ଅଭିଯୁକ୍ତ ବାପି ସର୍ଖେଲ୍‌ଙ୍କୁ ଜାମିନ୍ ମିଳିସାରିଥିବାରୁ ମହିମାଙ୍କୁ ମଧ୍ୟ ଜାମିନ୍ ଦେବାକୁ ଓକିଲଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ଅକ୍ଟୋବର ୨୬ ତାରିଖରେ ସ୍ୱାଇଁ ତାଙ୍କ ସ୍କର୍ପିଓରେ ଅଫିସ୍ ଯାଉଥିବା ବେଳେ ପାରାଦୀପ ଆମ୍ୱେଦକର ଭବନ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲ୍‌ରେ ଆସି ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ। ଆତ୍ମରକ୍ଷା ପାଇଁ ସେ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।