ସାଂସଦ ତଥାଗତ ସତପଥୀଙ୍କ ‘ଚୋର’ମନ୍ତବ୍ୟକୁ ନେଇ କୈଫିୟତ ମାଗିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସାଂସଦ ତଥାଗତ ସତପଥୀଙ୍କ ‘ଚୋର’ମନ୍ତବ୍ୟକୁ ନେଇ କୈଫିୟତ ମାଗିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତଥାଗତ ଯାହା କହିଛନ୍ତି ତାହା ଠିକ୍ ନୁହେଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି। ତଥାଗତ ଗତକାଲି କଂଗ୍ରେସ୍ ଓ ବିଜେପିକୁ ଚୋର କହିବା ସହ ଆମେ ବି କିଛି କମ୍ ନାହୁଁ ବୋଲି କହିଥିଲେ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଝାଡ଼ବନ୍ଧରେ ଆୟୋଜିତ ପୌଷ ମହୋତ୍ସବରେ ଯୋଗଦେଇ ଏଭଳି କଟୁ ମନ୍ତବ୍ୟ ଦେଇଥିଲେ। ତଥାଗତ ସେ ଆହୁରି ମଧ୍ୟ କହିଥିଲେ ଯେ ନିକଟରେ ନବୀନ ବାବୁ ୪-୫ ଜଣ ଚୋରଙ୍କୁ ବାହାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ବିଦାୟୀ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ନାଁ ମଧ୍ୟ ଉଲ୍ଲେଖ କରିଥିଲେ। ନବୀନ ବାବୁ କେତେ ଲୋକଙ୍କୁ ବାହାର କରିବେ ବୋଲି ତଥାଗତ ପ୍ରଶ୍ନ କରିଥିଲେ।

ସେପଟେ ତଥାଗତଙ୍କ ମନ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆଜି ଦେବୀ ମିଶ୍ର ଫେରାଦ ହୋଇଥିଲେ। ଅନ୍ୟପକ୍ଷରେ ସାଂସଦ ତଥାଗତ ଶତପଥୀ ଟ୍ୱିଟରରେ ପ୍ରକାଶ କରିଛନ୍ତି, “ନବୀନ ପଟ୍ଟନାୟକ ଜଣେ ସ୍ୱଚ୍ଛ ନେତା।  ସେ ଦଳ ଭିତରେ ମଧ୍ୟ ଜନବିରୋଧୀ କାର୍ଯ୍ୟକୁ ବରଦାସ୍ତ କରନ୍ତି ନାହିଁ।  ରାଜ୍ୟ କ୍ୟାବିନେଟରୁ ମନ୍ତ୍ରୀଙ୍କୁ ବିଦା ଘଟଣା ଏହାକୁ ସୂଚାଉଛି। ମୋ ନିର୍ବାଚନମଣ୍ଡଳୀର ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗ୍ରହଣ କରନ୍ତି, ପ୍ରଶଂସା କରନ୍ତି ଓ ସମର୍ଥନ କରନ୍ତି।”