ସୁବଳ ସାହୁଙ୍କ ପରିବାରକୁ ବିଜେଡିରେ ମିଶାଇ ତାଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରିପାରେ ବିଜେଡି-ବିଜେପୁର

ବରଗଡ ଜିଲ୍ଲାରେ ବିଜେଡିର ସ୍ଥିତି ନେଇ ଆଲୋଚନା ହୋଇଥିବା ବରଗଡ ଜିଲ୍ଲା ସଭାପତି ବିଜୟ ରଂଜନ ସିଂହ ବରିହା ସୂଚନା ଦେଇଛନ୍ତି । ଏଯାଏଁ ବିଜେପୁର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇନି । ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ ବୋଲି ଜିଲ୍ଲା ସଭାପତି କହିଛନ୍ତିି । ଏହାସହ ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶିବା ନେଇ କୌଣସି ଆଲୋଚନା ହୋଇନାହିଁ ଏବଂ ଦଳକୁ କିଏ ଆସିବେ ତାହା ବିଜେଡି ସୁପ୍ରିମୋ ନିଷ୍ପତି ନେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜୟ ରଂଜନ ସିଂହ ବରିହା । ଗତ କିଛି ଦିନ ଧରି ଚର୍ଚ୍ଚା ଚାଲିଛି, ସୁବଳ ସାହୁଙ୍କ ପରିବାରକୁ ବିଜେଡିରେ ମିଶାଇ ତାଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରିପାରେ ବିଜେଡି । ଏଭଳି ରଣନୀତି ଉପରେ ପ୍ରାରମ୍ଭିକ ସ୍ତରରେ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି । ପଂଚାୟତ ନିର୍ବାଚନରେ ବିଜେପି ବରଗଡ ଜିଲ୍ଲା ଦଖଲ କରିଥିବାରୁ ଉପନିର୍ବାଚନକୁ ହାଲକା ଭାବେ ନେଉନାହିଁ ଶାସକ ବିଜେଡି । ସୁବଳ ସାହୁଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟକୁ ହାତେଇବାକୁ ଦଳ ଚିନ୍ତା କରୁଥିବା ଜଣାପଡିଛି । ତେବେ ଏବାବଦରେ ଦଳର କୈାଣସି ନେତା ମୁହଁ ଖୋଲିବାକୁ ପ୍ରସ୍ତୁତ ନାହାନ୍ତି । ୨୦୧୪ ନିର୍ବାଚନରେ ଏହି ଆସନରୁ ପ୍ରାର୍ଥୀ ଥିବା ପ୍ରସନ୍ନ ଆଚାର୍ଯ୍ୟ ଏବେ ରାଜ୍ୟସଭା ସାଂସଦ । ତେବେ ତାଙ୍କୁ ନେଇ ନବୀନ ଗୋଟିଚାଳନା କରିବେ କି ନାହିଁ, ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଲାଗିରହିଛି । ବିଜେପୁର ପାଲଟିବ ରାଜ୍ୟ ରାଜନୀତିର ବ୍ୟାଟଲ ଗ୍ରାଉଣ୍ଡ । ସାଧାରଣ ନିର୍ବାଚନ ଆହୁରି ୨୦ ମାସ ଥିବା ବେଳେ ଉପ ନିର୍ବାଚନ ପାଇଁ ତତଲା ପବନ ବହିବା ଆରମ୍ଭ କଲାଣି । ରାଜନୈତିକ ଅଙ୍କକଷା ସହ ପ୍ରତି ରାଜନୈତିକ ଦଳ ଭିତିରିଆ ଗୋଟିଚାଳନା ଆରମ୍ଭ କରିଥିବା ଚର୍ଚ୍ଚା ଜୋରଧରିଛି । ଯେଉଁ ଆସନ ପାଇଁ ଉପ ନିର୍ବାଚନ ହେବ ତାହା ଥିଲା କଂଗ୍ରେସ ଗଡ । ଲଗାତର ଏହି ଆସନରୁ ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୁବଳ । ତେଣୁ କଂଗ୍ରେସ ପାଇଁ ଏହି ନିର୍ବାଚନ ଯେତିକି ଗୁରୁତ୍ୱପୁର୍ଣ୍ଣ ତାଠାରୁ ଅଧିକ ମହତ୍ତ୍ୱ ରଖୁଛି ବିଜେଡି ଓ ବିଜେପି ପାଇଁ ।