ସେନାର ଯବାନ ମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ପ୍ରାଥମିକତା -ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବିଧିବଦ୍ଧ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତର ପ୍ରଥମ ପୂର୍ଣ୍ଣକାଳୀନ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସୀତାରମଣ ଏହି ଦାୟିତ୍ୱ ନେଇଛନ୍ତି।  ଅର୍ଥ ଓ ପ୍ରତିରକ୍ଷା ବିଭାଗର ମିଳିତ ଦାୟିତ୍ୱରେ ଥିବା ଅରୁଣ ଜେଟଲି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସେନାର ଯବାନ ମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ତାଙ୍କର ପ୍ରାଥମିକତା ରହିବ ବୋଲି ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମକୁ ସୀତାରମଣ କହିଛନ୍ତି। ଏଥିସହ ଦୀର୍ଘ ଦିନ ଧରି ପଡିରହିଥିବା ସେନାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଭାରତ ଯେପରି ନିଜସ୍ୱ ଜ୍ଞାନ କୌଶଳରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ତିଆରି କରିପାରିବ ସେ ନେଇ ବିଭିନ୍ନ ବିଭାଗ ସହ ଆଲୋଚନା କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଦାୟିତ୍ୱ ଗ୍ରହଣ ପରେ ତାଙ୍କର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟ ଖୋଲାଯାଇଛି। ଯେଉଁଥିରେ ଖୁବ କମ ସମୟ ମଧ୍ୟରେ ହଜାର ହଜାର ୟୁଜର୍ସ ଯୋଡିହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ଦାୟିତ୍ୱ ନେବାପରେ ସେ ପ୍ରଥମ ନିଷ୍ପତ୍ତି ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ୮୬୮୫ ପୂର୍ବ ସୈନିକ, ବିଧବା ଓ ଆଶ୍ରିତ ସୈନିକଙ୍କ ପାଇଁ ୧୩ କୋଟିରୁ ଅଧିକ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି।