ସ୍ୱଚ୍ଛତା ଦୃଷ୍ଟିରୁ ସମ୍ବଲପୁର ଷ୍ଟେସନ ୩୬୦ତମ ସ୍ଥାନରେ!!!

ସମ୍ବଲପୁର:– ରେଳବାଇ ପକ୍ଷରୁ ଦେଶର ରେଳଷ୍ଟେସନ ଗୁଡ଼ିକର ଗ୍ରେଡ଼େସନ୍ କରାଯାଇଛି। ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ଆଧାରରେ ହୋଇଥିବା ଏହି ଗ୍ରେଡ଼େସନ୍ରେ ସମ୍ବଲପୁର ୩୬୦ତମ ସ୍ଥାନରେ ରହିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି।  ସ୍ୱଚ୍ଛତା ଦୃଷ୍ଟିରୁ ସମ୍ବଲପୁର ଷ୍ଟେସନ ଅଗ୍ରଣୀ ଅଟେ। ଗତ ପ୍ରାୟ ୧୦ ବର୍ଷ ଧରି ସମ୍ବଲପୁର ଷ୍ଟେସନର ସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ଘଟିଛି। ଷ୍ଟେସନ ଖୁବ୍ ସଫାସୁତୁରା ରହୁଛି। ଏ ଦିଗରେ ସ୍ଥାନୀୟ ଯାତ୍ରୀମାନଙ୍କର ମଧ୍ୟ ସହଯୋଗ ପରିଲକ୍ଷିତ ହେଉଛି। ଲୋକଙ୍କ ମଧ୍ୟରେ ସଚେତନତା ପ୍ରକାଶ ପାଇଛି। ଲୋକେ ଆଉ ଇତଃସ୍ତତ ଆବର୍ଜନା ପକାଉ ନାହାନ୍ତି। ଷ୍ଟେସନର ପ୍ଲାଟଫର୍ମଗୁଡ଼ିକୁ ଧୁଆପୋଛା କରିବାରେ ଆଦୌ ତ୍ରୁଟୀ ହେଉନାହିଁ। ଅନ୍ୟାନ୍ୟ ଯାତ୍ରୀ ସୁବିଧା କ୍ଷେତ୍ରରେ ମଧ୍ୟ ସମ୍ବଲପୁର ଷ୍ଟେସନ ପଛୁଆ ନୁହେଁ। ଏଥିରେ ସମ୍ବଲପୁର ଏତେ ପଛରେ ୩୬୦ତମ ନମ୍ବରରେ ରହିଲା କିପରି ତାହା ହେଉଛି ପ୍ରଶ୍ନ। ରାଉରକେଲା ୧୪୮ତମ ସ୍ଥାନରେ ଥିବାବେଳେ ଝାରସୁଗୁଡ଼ା ୩୬୩ ତମ ନମ୍ବରରେ ରହିଛି। ବର୍ତ୍ତମାନ ସମ୍ବଲପୁର ରେଳ ଷ୍ଟେସନର ସମ୍ମୁଖ ଭାଗର କାୟାକଳ୍ପରେ ପରିବର୍ତ୍ତନ କରାଯାଉଛି। ଷ୍ଟେସନ ସମ୍ମୁଖ ଭାଗଟି ଆକର୍ଷଣୀୟ ରୂପ ନେବ। ଏହାକୁ କେବଳ ଯାତ୍ରୀ ସୁବିଧା କେନ୍ଦ୍ରରେ ପରିଣତ କରାଯିବ ନାହିଁ ବରଂ ସହରବାସୀ ଫୁର୍ସତରେ ଏଠରେ ଯେଭଳି କିଛି ସମୟ ବିତାଇବାକୁ ଆଗ୍ରହ ପ୍ରକାଶ କରିବେ ସେଭଳି ଲକ୍ଷ୍ୟ ନେଇ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲାପରେ ସମ୍ବଲପୁର ରେଳ ଷ୍ଟେସନ ଅଧିକ ସୁନ୍ଦର ଓ ବ୍ୟବସ୍ଥିତ ହେବ।