୭୦ ବର୍ଷର ସ୍ୱାଧୀନତା ପରେ ବି ଆଜି ଓଡ଼ିଶାର ଚାଷୀ ଅବହେଳିତ-ନବନିର୍ମାଣ କୃଷକ ସଂଘ

ଯାଜପୁର:- ଓଡ଼ିଶାର ଚାଷୀଙ୍କୁ ସୁରକ୍ଷା ଭତ୍ତା (ପେନସନ୍) ଦେବାପାଇଁ ଯାଜପୁର ଜିଲା ନବନିର୍ମାଣ କୃଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲା ପ୍ରଶାସନକୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ୭୦ ବର୍ଷର ସ୍ୱାଧୀନତା ପରେ ବି ଆଜି ଓଡ଼ିଶାର ଚାଷୀ ଅବହେଳିତ । ଚାଷୀଙ୍କ ସମସ୍ୟାକୁ କୌଣସି ସରକାର ବୁଝୁନାହାନ୍ତି । ରାଜ୍ୟ ସରକାର ଧାନର କୁଇଣ୍ଟାଲ ଦର ବୃଦ୍ଧି କରିବାପାଇଁ କେନ୍ଦ୍ର ସରକାର ନିକଟରେ ଦାବୀକରି ଆସୁଥିବାବେଳେ ଚାଷୀଙ୍କୁ ସୁରକ୍ଷା ଭତ୍ତା ଦେବା ପ୍ରସଙ୍ଗରେ ନିଜ ଉପରୁ ଦାୟିତ୍ୱ ଖସାଇ ଦେଉଛନ୍ତି । ରାଜ୍ୟ ସରକାର ରାଜ୍ୟର ୮ ଲକ୍ଷ ସରକାରୀ ଚାକିରୀଆ ଓ ପେନସନ୍ଭୋଗୀଙ୍କ ପାଇଁ ସପ୍ତମ ବେତନ ଲାଗୁ କରି ବାର୍ଷିକ ସାଢ଼େ ଚାରି ହଜାର କୋଟି ଟଙ୍କା ଅଧିକା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିବାବେଳେ ରାଜ୍ୟର ୩୬ ଲକ୍ଷ ଚାଷୀ ପରିବାର ପାଇଁ ସୁରକ୍ଷା ଭତ୍ତା ଦେଇପାରୁନାହାନ୍ତି । ଚାଷୀମାନଙ୍କ ସମସ୍ୟା ଓ ସୁରକ୍ଷା ଭତ୍ତାକୁ ନେଇ ବିଭିନ୍ନ ସମୟରେ ଗଣଆନେ୍ଦାଳନ ହେବାସହ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରାଯାଉଛି । ଓଡ଼ିଶାର ଚାଷୀମାନଙ୍କୁ ଅବିଳମ୍ବେ ୫ ହଜାର ଟଙ୍କାର ସୁରକ୍ଷା ଭତ୍ତା (ପେନସନ୍) ପ୍ରଦାନ କରିବା ଦାବୀନେଇ ଯାଜପୁର ଜିଲା ନବ ନିର୍ମାଣ କୃଷକ ସଙ୍ଗଠନର ଜିଲା ସଂଯୋଜକ ନିମାଇଁ ରାୟଙ୍କ ନେତୃତ୍ୱରେ ଗାନ୍ଧୀଛକଠାରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଏକ ପ୍ରତିବାଦ ସଭା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲା ପ୍ରଶାସନକୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।